ସଂକଟରେ ପାକିସ୍ତାନ ରାଜନୀତି: ସଂସଦରେ ଅବିଶ୍ବାସ ପ୍ରସ୍ତାବ ଖାରଜ ଓ ନାସନାଲ୍ ଆସେମ୍ଲି ଭଙ୍ଗ କରାଯିବା ମାମଲାରେ ଆଜି ପରବର୍ତ୍ତୀ ଶୁଣାଣି

ପାକିସ୍ତାନ : ପାକିସ୍ତାନ ରାଜନୀତି ଏବେ ଘୋର ସଙ୍କଟ ମଧ୍ୟରେ ଗତି କରୁଛି | ଇମ୍ରାନ ସରକାର ଭଂଗ ହୋଇଯାଇଥିବା ବେଳେ, ସେପଟେ ବିରୋଧୀ ନୂଆ ସରକାର ଗଠନ କରିବାକୁ ନେଇ ଅଡ଼ି ବସିଛନ୍ତି | କିନ୍ତୁ ସଂସଦରେ ଅବିଶ୍ବାସ ପ୍ରସ୍ତାବ ଖାରଜ ହେବା ଏବଂ ନାସନାଲ୍ ଆସେମ୍ଲି ଭଙ୍ଗ କରାଯିବାକୁ ନେଇ ବିରୋଧୀ ସୁପ୍ରିମ୍କୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ, ଆଜି ମାମଲାରେ ପରବର୍ତ୍ତୀ ଶୁଣାଣି ହେବ ।

ପାକିସ୍ତାନ ପିପୁଲ୍ସ ପାର୍ଟି ଆବେଦନ କରିଥିବା ମାମଲାରେ ଗତକାଲି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ତେବେ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ୧୬ ଜଣିଆ ଫୁଲ୍ ବେଞ୍ଚରେ ଶୁଣାଣି କରିବାକୁ ଆବେଦନ କରାଯାଇଥିଲା, ଯାହାକୁ ୩ ଜଣିଆ ଖଣ୍ଡପୀଠ ଖାରଜ କରି ଦେଇଥିଲେ ।

ସଂସଦର ପ୍ରକ୍ରିୟା ନେଇ ସମୀକ୍ଷା ହେବା ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହି ମାମଲାରେ ସବୁ ପକ୍ଷକୁ ନୋଟିସ୍ ଜାରି କରାଯାଇଛି । ଆଜି ପରବର୍ତ୍ତୀ ଶୁଣାଣି ହେବ । ଅନ୍ୟପଟେ ପାକ୍ ରାଷ୍ଟ୍ରପତି ଆରିଫ୍ ଆଲ୍ଭୀ କହିଛନ୍ତି କେୟାରଟେକର୍ ପ୍ରଧାନମନ୍ତ୍ରୀ ନିଯୁକ୍ତି ପର୍ଯ୍ୟନ୍ତ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ରହିବେ ।

ଇମ୍ରାନଙ୍କ ପାର୍ଟି ତେହରିକ-ଏ-ଇନସାଫ୍ କାମଚଳା ପ୍ରଧାନମନ୍ତ୍ରୀ ପାଇଁ ପୂର୍ବତନ ଜଜ୍ ଅଜମତ ସୟିଦଙ୍କ ନାଁ ସୁପାରିଶ କରିଛି । ସେପଟେ ହାତରୁ ଶାସନ ଡୋରି ଯିବା ପରେ ଇମ୍ରାନ ଖାନଙ୍କୁ ପୁଣି ବଡ଼ ଝଟକା ଲାଗିଛି । ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ଡକ୍ଚର ମୋଇଦ ୟୁସୁଫି ଇସ୍ତଫା ଦେଇଛନ୍ତି । ଏହା ଆଗରୁ ଇମ୍ରାନଙ୍କ ଚିଫ୍ ସେକ୍ରେଟାରୀ ଆଜମ ଖାନ ଏବଂ ପରାମର୍ଶଦାତା ଶହଜାଦ ଆକବର ମଧ୍ୟ ଇସ୍ତଫା ଦେଇ ସାରିଛନ୍ତି ।

ଦେଶରେ ଏପରି ସ୍ଥିତି ହେବା ପଛରେ ଇମ୍ରାନ ଆମେରିକାକୁ ଦାୟୀ କରିଛନ୍ତି । ବିରୋଧୀ ଆମେରିକା କଥାରେ ପଡି ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରୁଛନ୍ତି ବୋଲି ସେ ଦାବି କରିଛନ୍ତି । ଅନ୍ୟପଟେ ବିରୋଧୀ ଆଜିର ରାୟ ଉପରେ ନଜର ରଖିଛି ।

Related Posts