
ଶ୍ରୀଲଙ୍କାର ସ୍ଥିତି ଏବେ ସାଙ୍ଘାତିକ | ଦୟନୀୟ ସ୍ଥିତି ମଧ୍ୟରେ ଗତି କରୁଛି ଶ୍ରୀଲଙ୍କା | ନା ଖାଇବା ପାଇଁ ମିଳୁଛି ନା ପିଇବା ପାଇଁ | ସବୁଆଡେ ଶୋଚନୀୟ ସ୍ଥିତି | ଅର୍ଥ ବ୍ୟବସ୍ଥା ଯେପରି ସଂପୂର୍ଣ୍ଣ ଭୁଷୁଡି ଯାଇଛି । ଚାରିଆଡେ କେବଳ ହାଁ ହାଁ ସ୍ଥିତି | ଋଣ ଭାରରେ ବୁଡି ଯାଇଛି ଶ୍ରୀଲଙ୍କା | ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହୋଇ ଚାଲିଛି, ଫଳରେ ପେଟ୍ରୋଲିୟମ୍ ଏବଂ ଖାଦ୍ୟ ଭଳି ଆବଶ୍ୟକ ସାମଗ୍ରୀ ଆମଦାନୀ ହୋଇ ପାରୁନି । ସାରା ଦେଶରେ ଦରଦାମ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି । ମୁଦ୍ରାସ୍ଫୀତି ୧୭ପ୍ରତିଶତ ଟପି ଯାଇଛି ।
ଋଣ ଭାରରେ ବୁଡି ଯାଇଛି ଦେଶ । ଶ୍ରୀଲଙ୍କା ମୁଦ୍ରା ଡଲାର ତୁଳନାରେ ଅତ୍ୟନ୍ତ ଦୁର୍ବଳ ହୋଇ ପଡିଛି । ସାରା ଦେଶରେ ୧୨ରୁ ୧୩ ଘଣ୍ଟା ବିଦ୍ୟୁତ୍ କାଟ୍ ହେଉଛି । ଚାଉଳ କିଲୋ ୫ ଶହ ଟଙ୍କାରେ ପହଂଚିଛି । ଚିନି କିଲୋ ୨୯୦ ଟଙ୍କାରେ ମିଳୁଛି । ଶହେ ଟଙ୍କା ଦେଲେ ମିଳୁଛି ଗୋଟେ କପ୍ ଚା’ । ପେଟ୍ରୋଲ, ଡିଜେଲ୍ ମିଳୁନି । ଏଲପିଜି ସିଲିଣ୍ଡର ଦାମ୍ ୪ ହଜାର ୧୧୯ ଟଙ୍କା ।
ସାରା ଦେଶରେ ରାଷ୍ଟ୍ରପତି ରାଜପକ୍ଷେ ଏମରଜେନସୀ ଲାଗୁ କରିଛନ୍ତି । ଶ୍ରୀଲଙ୍କାର ଏହି ସ୍ଥିତି ପାଇଁ ଦାୟୀ – ସରକାରୀ ଅର୍ଥର କୁପରିଚାଳନା ଏବଂ ଟିକସ ଛାଡ ଭଳି କିଛି ନିଷ୍ପତ୍ତି । ସରକାରଙ୍କ କିଛି ମାଗଣା ସ୍କିମ୍ ଏବେ ବୁମେରାଂ ପାଲଟିଛି । ଶ୍ରୀଲଙ୍କାର ଏଭଳି ଗମ୍ଭୀର ସ୍ଥିତି ଅନ୍ୟ ଦେଶ ପାଇଁ ବଜାଇଛି ସତର୍କଘଣ୍ଟି ।
ଅନ୍ୟପଟେ, ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଓ ଜରୁରୀ ପରିସ୍ଥିତିକୁ ନେଇ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ଗଣ-ଇସ୍ତଫା ପରେ ସୋମବାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ସଂସଦର ବୈଧତା ଓ ସ୍ଥିରତା ରକ୍ଷା କରିବା ଏବଂ ଦେଶର ଅନ୍ୟାନ୍ୟ କାର୍ଯ୍ୟଧାରାର ପରିଚାଳନା ନିମନ୍ତେ ପୂରା କ୍ୟାବିନେଟ୍ର ନିଯୁକ୍ତି ପର୍ଯ୍ୟନ୍ତ ଅନ୍ତତଃ ୪ ଜଣ ମନ୍ତ୍ରୀଙ୍କୁ ମନୋନୀତ କରିଛନ୍ତି। ଏପରି କି ଏକ ମିଳିତ ସରକାର ଗଠନ ନିମନ୍ତେ ସେ ବିରୋଧୀ ଦଳକୁ ମଧ୍ୟ ଆହ୍ବାନ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଭାଇ ବାସିଲ ରାଜପକ୍ଷଙ୍କ ସ୍ଥାନରେ ପୂର୍ବତନ ନ୍ୟାୟମନ୍ତ୍ରୀ ଅଲି ସାବ୍ରିଙ୍କୁ ନୂତନ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ଚାରି ନୂଆ ମନ୍ତ୍ରୀ ଆଜି ରାଷ୍ଟ୍ରପତୀୟ ସଚିବାଳୟରେ ରାଷ୍ଟ୍ରପତିଙ୍କ ଆଗରେ ଶପଥ ପାଠ କରିଥିଲେ। ଗୃହର ନେତା ଦିନେଶ ଗୁଣବର୍ଦ୍ଧନ ଶିକ୍ଷାମନ୍ତ୍ରୀ ଭାବେ ଏବଂ ମୁଖ୍ୟ ସରକାରୀ ହ୍ବିପ୍ ଜନସନ ଫର୍ଣ୍ଣାଣ୍ଡୋ ରାଜପଥ ମନ୍ତ୍ରୀ ଭାବେ ଶପଥ ପାଠ କରିଥିଲେ। ତେବେ ପ୍ର. ଗାମିନୀ ଲକ୍ଷଣ ପ୍ୟାରିସଙ୍କୁ ବିଦେଶ ବ୍ୟାପାର ମନ୍ତ୍ରୀ ଭାବେ ପୁନର୍ନିଯୁକ୍ତି ଦିଆଯାଇଥିଲା। ଦେଶରେ ଚାଲିଥିବା ସଂକଟର ମୁକାବିଲା କରିବା ପାଇଁ ରାଷ୍ଟ୍ରପତି ରାଜପକ୍ଷ ସବୁ ଦଳର ନେତାଙ୍କୁ ମିଳିମିଶି ବାଟ ବାହାର କରିବା ପାଇଁ ଅନୁରୋଧ କରିଛନ୍ତି। ସବୁ ଦଳର ନେତାଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ସେ ଆହ୍ବାନ ଦେଇଛନ୍ତି।