ଗିରିରାଜ ହିଁ କଂସରାଜ: କଂଗ୍ରେସ

(ସତ୍ୟପାଠ ବ୍ୟୁରୋ) ସମ୍ବଲପୁର: ଭାରତରେ ରହୁଥିବା ପ୍ରତି ବ୍ୟକ୍ତିକୁ ‘ବନ୍ଦେ ମା’ତରମ’ ଓ ‘ଭାରତ ମାତା କୀ ଜୟ’ କହିବାକୁ ପଡ଼ିବ । ନାଗରିକତା ସଂଶୋଧନ ଆଇନ୍‌ (CAA) ସପକ୍ଷରେ ଜନ ସଚେତନତା ପାଇଁ ବିଜେପି ଦ୍ୱାରା ସମ୍ବଲପୁରରେ ଆୟୋଜିତ ଏକ ବିଶାଳ ରାଲିରେ ଏଭଳି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ।
ସିଏଏ ସପକ୍ଷରେ ଜନମତ ଏକଜୁଟ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ରାଲିରେ ନିଜ ସମ୍ବୋଧନରେ କେନ୍ଦ୍ର ପଶୁ ପାଳନ, ଗୋଧନ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗିରିରାଜ ସିଂ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଉପରେ ବର୍ଷିଛନ୍ତି । କଂଗ୍ରେସ ଓ ତା’ର ସହଯୋଗୀ ଦଳମାନେ ସିଏଏକୁ ବିରୋଧ କରି ଦେଶର ସବୁ ନାଗରିକଙ୍କ ସହିତ ଧୋକା କରୁଛନ୍ତି ବୋଲି ସେ କହିଛନ୍ତି ।

‘‘ମୁଁ କଂଗ୍ରେସ ଓ ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗ୍‌କୁ ପଚ଼ାରିବାକୁ ଚ଼ାହୁଁଛି ଯେ ସେମାନେ କ’ଣ ଚ଼ାହାଁନ୍ତି ଯେ ବାଂଲାଦେଶୀ ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ଓ ପାକିସ୍ତାନୀ ଘୁସ୍‌ପୈଠୀମାନଙ୍କୁ ଭାରତର ନାଗରିକତା ଦିଆଯିବା ଉଚ଼ିତ ? ଆଉ ପାକିସ୍ତାନରୁ ଆସିବାକୁ ଚ଼ାହୁଁଥିବା ହିନ୍ଦୁ ଓ ଶିଖ୍‌ ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ଦିଆ ନ ଯିବା ଉଚ଼ିତ ? ଯଦି ସେମାନଙ୍କର ସାହସ ଅଛି, ତାହେଲେ ସେମାନେ ଏ ପ୍ରଶ୍ନର ଉତ୍ତର ହଁ ବା ନାଁରେ ଦେବା ଉଚ଼ିତ,’’ ଏଭଳି କହିଛନ୍ତି ଗିରିରାଜ ସିଂ ।

ଓଡିଶା ସରକାର CAA କୁ ସମର୍ଥନ କରୁଥିବା ବେଳେ ସମ୍ବଲପୁରରେ ଏଭଳି ଏକ ରାଲି ଓ ସାଧାରଣ ସଭାର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନର ଉତ୍ତରରେ ଗିରିରାଜ ସିଂ CAA ବିଷୟରେ ଓଡିଶା ସରକାରଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ । ସାରା ଭାରତକୁ ସଚେତନ କରିବା ପାଇଁ ଏହି ସବୁ ସଭାର ଆୟୋଜନ କରାଯାଉଥିବା ସେ କହିଛନ୍ତି ।

ଗିରିରାଜ ଏବଂ କଂସରାଜ ସମସ୍ତଙ୍କ ଚରିତ୍ର ଗୋଟିଏ: ପଞ୍ଚାନନ କାନୁନଗୋ

ସେପଟେ ଗିରିରାଜଙ୍କ ଏଭଳି ବୟାନକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । କୋଣସି ଧାର୍ମିକ ବ୍ୟବସ୍ଥାକୁ ଜାଣିନଥିବା ଅମଣିଷ ମାନଙ୍କର କୌଣସି ବକ୍ତବ୍ୟବ ଉପରେ ଗୁରୁତ୍ବ ଦେବା ଆଦୌ ଉଚିତ ନୁହେଁ । ସେମାନେ ତ ଅନ୍ଧ ତେଣୁ ସେମାନେ ସମସ୍ତଙ୍କୁ ଅନ୍ଧକାରରରେ ରଖିବାକୁ ଚାହାନ୍ତି । ଏଣୁ ଗିରିରାଜ କୁହନ୍ତୁ ବା କଂସରାଜ କୁହନ୍ତୁ ସମସ୍ତଙ୍କର ଚରିତ୍ର ଗୋଟିଏ । ଯେଭଳି କଂସ ସ୍ବପ୍ନରେ ବାରମ୍ବାର ବିଳିବିଳେଉଥିଲା କୃଷ୍ଣ ଆସିଲା କୃଷ୍ଣ ଆସିଲା ଏବେ ଗିରିରାଜ ସେଭଳି ବିଳିବିଳେଉଛନ୍ତି କଂଗ୍ରେସ ଆସିଲା, କଂଗ୍ରେସ ଆସିଲା ।

ଲୋକଙ୍କ ଦେଶ ପ୍ରେମ ପ୍ରତି ଗିରିରାଜ ସନ୍ଦେହ କରିବା ଅନୁଚିତ: ପ୍ରତାପ ଦେବ

ସେହିଭଳି ବିଜେଡି ବିଧାୟକ ପ୍ରତାପ ଦେବ ମଧ୍ୟ ଗିରିରାଜଙ୍କ ବକ୍ତବ୍ୟକୁ ସମାଲୋଚନା କରିଛନ୍ତି । ଆଜି ଅବସ୍ଥା ଏଭଳି ହୋଇଛି ଯେ ଜଣେ କେନ୍ଦ୍ରମନ୍ତ୍ରୀ ଆସି ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି ତମେ ଭାରତ ମାତା କି ଜୟ କୁହ ।  ଯିଏ ଭାରତ ମାତାର ଲୋକ ସେ ଭାରତ ମାତା କି ଜୟ କହିବାକୁ ସଙ୍କୋଚ କରିବ ନାହିଁ । ଲୋକ ମନରୁ ଏକଥା କହିବା ଉଚିତ ନା କି କେନ୍ଦ୍ର ମନ୍ତ୍ରୀ ଆସି ଲୋକଙ୍କୁ ପ୍ରବର୍ତ୍ତାଇବା ଉଚିତ । ଲୋକଙ୍କ ଦେଶ ପ୍ରେମ ପ୍ରତି ସନ୍ଦେହ ପ୍ରକାଶ କରିବା ଅନୁଚିତ ବୋଲି ପ୍ରତାପ ଦେବ କହିଛନ୍ତି ।


Related Posts