ଲୌରିଅସ୍ ପୁରସ୍କାର ଦୌଡ଼ରେ ସଚିନ: ବଛାଯିବ ଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ

(ସତ୍ୟପାଠ ବ୍ୟୁରୋ) ଲଣ୍ଡନ: ‘୨୦୦୦ରୁ ୨୦୨୦’, ଦୁଇ ଦଶନ୍ଧିର ଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ ବଛାଯିବ । ଏଥିପାଇଁ ସମ୍ମାନଜନକ ଲୌରିଅସ୍ କ୍ରୀଡ଼ା ପୁରସ୍କାର ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ନିଆରା ପୁରସ୍କାରର ସମ୍ଭାବ୍ୟ ୨୦ ଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ ତାଲିକାରେ ଲିଟିଲ ବ୍ଲାଷ୍ଟର ସଚିନ ତେନ୍ଦୁଲକର ସ୍ଥାନ ପାଇଛନ୍ତି ।

 

ସଚିନ ୨୦୧୧ ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳରେ ସ୍ଥାନ ପାଇ ଏହାକୁ ତୋଳି ଧରିବାର ମୁହୂର୍ତକୁ ଲୌରିଅସ୍ ଗତ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ବର ଅନ୍ୟତମ ‌ଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ ଭାବେ ବିଚାରକୁ ନେଇଛି । ଘରୋଇ ସହର ମୁମ୍ବାଇରେ ସଚିନ ୧୨୫ କୋଟି ଭାରତୀୟଙ୍କ ପକ୍ଷରୁ ବିଶ୍ବକପ୍‌କୁ ଉଠାଇଲା ବେଳେ ଖୁସିରେ କାନ୍ଦି ପକାଇଥିଲେ। ଏହି ଆବେଗଭରା ମୁହୂର୍ତକୁ ଲୌରିଅସ୍ ବିଶ୍ବର ଶ୍ରେଷ୍ଠ ୨୦ କ୍ରୀଡ଼ା ମୁହୂର୍ତ ଭାବେ ବାଛିବା ଭାରତୀୟ କ୍ରିକେଟ୍ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି । ସଚିନଙ୍କ ନା ଏହି ପୁରସ୍କାର ଦୌଡ଼ରେ ଆସିବା ପରେ ଭାରତରେ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଖୁସି ଖେଳିଯାଇଛି ।

 

ସେପଟେ ଲୌରିଅସ୍ ପୁରସ୍କାର ଚୟନ ସମିତିରେ ସ୍ଥାନ ପାଇଥିବା ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଷ୍ଟିଭ୍ ୱ’ ଏହାର ଏକ ଚମତ୍କାର କଥା ବର୍ଣ୍ଣନା କରିଛନ୍ତି । ଲୌରିଅସ୍ ବିଶ୍ବ କ୍ରୀଡ଼ା ସମ୍ମାନର ୨୦ ବର୍ଷ ପୂର୍ତ୍ତି ଅବସରରେ ଫେବ୍ରୁଆରି ୧୭ ତାରିଖରେ ବିଜେତାଙ୍କ ନାଁ ଘୋଷଣା କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୦ ଜଣିଆ ସମ୍ଭାବ୍ୟ ତାଲିକାକୁ ୧୦ ଓ ପରେ ୫କୁ କମାଇ ଦିଆଯିବ। ଏହାପରେ ବିଜେତା ବଛାଯିବ । ଏଥିପାଇଁ ଫେବ୍ରୁଆରି ୧୭ ପର୍ଯ୍ୟନ୍ତ ଭୋଟିଂ ପ୍ରକିୟା ଚାଲିବ ବୋଲି ଜଣାପଡ଼ିଛି ।

Related Posts