ଶିଳ୍ପ ପାଇଁ ଜଙ୍ଗଲ ସଫା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଗୋଟିଏ ପଟେ ପରିବେଶ ସୁରକ୍ଷା ଏବଂ ଜଙ୍ଗଲ ବଞ୍ଚାଇବା ପାଇଁ ପେପରଲେସ୍‌ ବଜେଟ୍‌ କରାଯାଉଛି ଅନ୍ୟପଟେ ଶିଳ୍ପ ପାଇଁ ରାଜ୍ୟରେ ଥବା ଜଙ୍ଗଲକୁ ସଫା କରାଯାଉଛି ।  ଗତ ୧୦ବର୍ଷ ମଧ୍ୟରେ ଶିଳ୍ପ ପାଇଁ ରାଜ୍ୟରେ ପାଖାପାଖି ୬୦୦ ହେକ୍ଟର ଜଙ୍ଗଲ ଜମିରୁ ଗଛ କଟାଯାଇଛି । ଏଭଳି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଗୃହରେ ମନ୍ତ୍ରୀ କହିଛନ୍ତି ୨୦୧୦ ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଶିଳ୍ପ ପ୍ରତିଷ୍ଠା ପାଇଁ ସମ୍ବଲପୁର, ଅନୁଗୁଳ, ସୁନ୍ଦରଗଡ, ଜଗତ୍‍ସିଂହପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଝାରସୁଗୁଡା, ବରଗଡ ଓ କେନ୍ଦୁଝର ଜିଲ୍ଲାରେ ୫୯୯.୭୪୬ ହେକ୍ଟର ଜମିରୁ ଜଙ୍ଗଲ କାଟି ସଫା କରାଯାଇଛି । ଏଥିପାଇଁ ଜଙ୍ଗଲ ସଂରକ୍ଷଣ ଆଇନ୍‍ ୧୯୮୦ ଅନୁଯାୟୀ କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିଛନ୍ତି ।

ଗଛ କଟା ହୋଇଥିବା ୬୦୦ ହେକ୍ଟର ଜଙ୍ଗଲ ଜମି ମଧ୍ୟରୁ ସର୍ବାଧିକ ୧୬୮ହେକ୍ଟର ରହିଛି ଅନୁଗୁଳ ଜିଲ୍ଲାରେ । ଜିନ୍ଦଲ କମ୍ପାନିର ଷ୍ଟିଲ କାରଖାନା ଓ ନିଜସ୍ୱ ତାପଜ ବିଦ୍ୟୁତ୍‍ କେନ୍ଦ୍ର ସ୍ଥାପନ ଲାଗି ଏତେ ପରିମାଣର ଜଙ୍ଗଲ ଜମି ଅପସାରଣ ହୋଇଛି । ଏହା ପଛକୁ ରହିଛି ସମ୍ବଲପୁର ଜଙ୍ଗଲ ଡିଭିଜନରେ । ଏଠାରେ ଆଦିତ୍ୟ ଆଲୁମିନିୟମ କମ୍ପାନିର କାରଖାନା ପାଇଁ ୧୧୯ ହେକ୍ଟର ଜମିରୁ ଜଙ୍ଗଲ ନଷ୍ଟ ହୋଇଛି । ସେହିଭଳି ଜଗତ୍‍ସିଂହପୁର ଜିଲ୍ଲାର ରାଜନଗର ବନ୍ୟପ୍ରାଣୀ ଡିଭିଜନ ଅର୍ନ୍ତଗତ ଷଣ୍ଢକୁଦ ଗାଁ ନିକଟରେ ପାରାଦୀପ ବନ୍ଦରର ଅତିରିକ୍ତ ବର୍ଥ ନିର୍ମାଣ ପାଇଁ ୮୭ହେକ୍ଟର ଜଙ୍ଗଲ ଜମି ଅପସାରଣ ହୋଇଛି । ପାରାଦୀପ ବନ୍ଦର ଲାଗି ପରବର୍ତ୍ତୀ ସମୟରେ ଆଉ ୨୫ ହେକ୍ଟର ଜଙ୍ଗଲ ମଧ୍ୟ କଟାଯାଇଛି । ଭାରତୀୟ ତୈଳ ନିଗମ ଲାଗି ଜଗତ୍‍ସିଂହପୁର ଜିଲ୍ଲାର ଷଣ୍ଢକୁଦ ଅଞ୍ଚଳରେ ପ୍ରାୟ ୬ ହେକ୍ଟର ଜଙ୍ଗଲ କଟାଯାଇଥିବାବେଳେ ଝାରସୁଗୁଡା ଜଙ୍ଗଲ ଡିଭିଜନ ଅଞ୍ଚଳରେ ଏସ୍‍ଏମ୍‍ସି ତାପଜ ବିଦ୍ୟୁତ୍‍ କେନ୍ଦ୍ରର ସମ୍ପ୍ରସାରଣ ପାଇଁ ପାଖାପାଖି ୧୮ ହେକ୍ଟର ଜଙ୍ଗଲ କ୍ଷତିଗ୍ରସ୍ତ ହୋଇଛି ।
Related Posts