
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଉତ୍ତରପ୍ରଦେଶର କନ୍ନୁଜରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏକ ଦମ୍ପତି ସେକେଣ୍ଡ ହ୍ୟାଣ୍ଡ କାର କିଣିବା ପାଇଁ ନବଜାତ ଶିଶୁକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ଏହି ଦମ୍ପତି ନିଜର 3 ମାସର ଶିଶୁପୁତ୍ରକୁ ଜଣେ ବ୍ୟବସାୟୀଙ୍କୁ 1.5 ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ଗୁରୁବାର ଦିନ ଶିଶୁଟିର ଜେଜେବାପା ପୋଲିସ ଷ୍ଟେସନକୁ ଯାଇ ନବଜାତ ଶିଶୁକୁ ବିକ୍ରି କରିଥିବା ପିତାମାତାଙ୍କ ବିରୋଧରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଶିଶୁର ଜେଜେବାପାଙ୍କ ଦ୍ବାରା ହୋଇଥିବା FIR ର ସୂଚନା ଅନୁଯାୟୀ ପୋଲିସ କହିଛି ଯେ ତିନି ମାସର ଶିଶୁକୁ ଗୁରୁସାହିଗଞ୍ଜ ସ୍ଥିତ ଜଣେ ବ୍ୟବସାୟୀଙ୍କୁ 1.5 ଲକ୍ଷ ଟଙ୍କା ମୂଲ୍ୟର କାର ପାଇଁ ବିକ୍ରି କରାଯାଇଛି। ଶିଶୁଟି ବେପାରୀଙ୍କ ଅଧୀନରେ ଥିବାବେଳେ ଶୁକ୍ରବାର ଦିନ ଆମେ ଶିଶୁଟିର ପିତାମାତାଙ୍କୁ ପଚରାଉଚରା କରିଛୁ ବୋଲି ତିରୱା କୋଟୱାଲୀ ପୋଲିସ ଷ୍ଟେସନର ଇନ୍ସପେକ୍ଟର ଶୈଳେନ୍ଦ୍ର କୁମାର ମିଶ୍ର କହିଛନ୍ତି। ଚୀନ୍ର ଜେଜିଆଙ୍ଗରେ ସମାନ ମାମଲାରେ ନିକଟରେ ଆସିଥିଲା ଜଣେ ବ୍ୟକ୍ତି ନିଜର ଦୁଇ ବର୍ଷର ପୁଅକୁ ବିକ୍ରି କରି ସେହି ଟଙ୍କାରେ ଦେଶ ଭ୍ରମଣରେ ଖର୍ଚ୍ଚ କରିଥିଲେ। ଚିନ୍ ପତ୍ରିକା ଜେଜିଆଙ୍ଗ ଲିଗାଲ୍ ଡେଲି ଅନୁଯାୟୀ, ଜି ନାମକ ବ୍ୟକ୍ତି ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ସହ ଲଗାତାର ଝଗଡା କରୁଥିଲେ ଏବଂ ଶିଶୁ ଯତ୍ନର ଭାର ଦୂର କରିବା ପାଇଁ ଜିଆଜିଆ ନାମକ ବାଳକକୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା।