ପାଟନା: ପୁଅ ର ଜୀବନ ପାଇଁ ନୁହେଁ, ପୁଅର ମର ଶରୀର ପାଇଁ ବାର ଦୁଆର ବୁଲୁଛନ୍ତି ବାପା-ମା’। ବୁଲିବୁଲି ମାଗୁଛନ୍ତି ଭିକ । ୫୦ ହଜାର ଟଙ୍କା ଲାଞ୍ଚ ଦେଲେ ମିଳିବ ପୁଅର ଶବ। ଏଭଳି କିଛି ସର୍ତ୍ତ ରଖିଛନ୍ତି ହସ୍ପିଟାଲ କର୍ମଚାରୀ। ଏଥିପାଇଁ ଟଙ୍କା ଯୋଗାଡ କରିବାକୁ ଭିକ ମାଗିବା ପାଇଁ ବାଧ୍ୟ ହୋଇଛନ୍ତି ବାପା-ମା’। ଏଭଳି ଏକ ଆମନବୀୟ ଘଟଣା ସାମ୍ନାକୁ ଆସିଛି ବିହାରରୁ। ଯାହା ଏବେ ବେଶ ଚର୍ଚାର ବିଷୟ ପାଲଟିଛି |
ବାପା ମା ନିଜ ସନ୍ତାନ ପାଇଁ ସବୁ ଦୁଃଖ କଷ୍ଟ କୁ ସହୁଥିବା ବେଳେ, ବେଳେ ବେଳେ ପରିସ୍ଥିତି ତାଙ୍କ ଆଗରୁ ତାଙ୍କ ସନ୍ତାନକୁ ନେଇଯାଏ | ତେବେ ଏହି ଦୁଃଖର ସମୟ ଏତେ କଷ୍ଟ ଦାୟକ ଥାଏ ଯେ ଯାହାକୁ କଳ୍ପନା କରିବା କଷ୍ଟକର ହୋଇପଡେ |
ତେବେ ଏହି ଦୁଃଖର ସମୟରେ ବିହାର ସମସ୍ତିପୁରା ଜିଲ୍ଲର ଏକ ସରକାରୀ ହସ୍ପିଟାଲ କର୍ମଚାରୀଙ୍କ ଏପରି ବ୍ୟବହାର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି | ଏଠାକାର ଶବ ବ୍ୟବଚ୍ଛେଦ ବିଭାଗର ଜଣେ କର୍ମଚାରୀ ମୃତଦେହ ଫେରାଇବା ପାଇଁ ଏକ ପରିବାରକୁ ୫୦ ଜହାର ଟଙ୍କା ଲାଞ୍ଚ ମିଗିଥିବା ଅଭିଯୋଗ ଆସିଛି। ପରେ ବାଧ୍ୟ ହୋଇ ଉକ୍ତ ପରିବାର ଟଙ୍କା ଯୋଗାଡ କରିବା ଲାଗି ବାର ଦୁଆର ବୁଲି ଭିକ ମାଗିଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ସମସ୍ତିପୁରା ସଦର ହସ୍ପିଟାଲ କର୍ତ୍ତୃପକ୍ଷ ମୃତଦେହକୁ ୱାଚମ୍ୟାନ ଜରିଆରେ ଉକ୍ତ ପରିବାରର ଘରକୁ ପଠାଇ ଦେଇଛନ୍ତି।
ସେପଟେ ଏହି ମାମଲାରେ ହସ୍ପିଟାଲର ସିଭିଲ ସର୍ଜନ ଡାକ୍ତର ଏସ୍ କେ ଚୌଧୁରୀ କହିଛନ୍ତି, କର୍ମଚାରୀମାନେ ଟଙ୍କା ମାଗି ଥାଇପାରନ୍ତି କିନ୍ତୁ ମୃତଦେହ ଫେରାଇବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ମାଗିନଥିବେ। ଯଦି ଏଭଳି କିଛି ଘଟିଥାଏ ତେବେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’ ଅନ୍ୟପଟେ ହସ୍ପିଟାଲ କର୍ମଚାରୀ ମଧ୍ୟ ଲାଞ୍ଚ ମାଗିଥିବା କଥାକୁ ଖଣ୍ଡନ କରିଛନ୍ତି।
ପୁଅର ଶବ ଆଣିବା ପାଇଁ ଟଙ୍କା ଯୋଗାଡ କରିବା ଲାଗି ଭିକ ମାଗୁଥିବା ବାପା-ମା’ର ଭିଡିଓକୁ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ନିଜ ଟ୍ୱିଟ୍ର ହ୍ୟାଣ୍ଡେଲରେ ଶେଆର କରି ନୀତୀଶ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି।
ଜୁନ୍ ୬ ରେ ମୃତଦେହ ମୁସ୍ରିଘରାରୀ ପୁଲିସ ଷ୍ଟେସନକୁ ମିଳିଥିଲା। ପରଦିନ ସମ୍ପର୍କୀୟମାନେ ଆସି ଶବକୁ ଚିହ୍ନଟ କରିଥିଲେ। ମୃତଦେହକୁ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଉକ୍ତ ସରକାରୀ ହସ୍ପିଟାଲକୁ ପଠାଇଥିଲା। ଜୁନ୍ ୭ ତାରିଖରେ ଶବ ବ୍ୟବଚ୍ଛେଦ ଗୃହର କର୍ମଚାରୀ ନାଗେନ୍ଦ୍ର ମଲିକ ୫୦ ହଜାର ଟଙ୍କା ଦେଲେ ଶବ ହସ୍ତାନ୍ତର କରିବି ବୋଲି ସମ୍ପର୍କୀୟଙ୍କୁ କହିଥିବା ଅଭିଯୋଗ ହୋଇଥିଲା।
ଏନ୍ଡି ଟିଭିର ଏକ ରିପୋର୍ଟ ମୁତାବକ, ଉକ୍ତ ସରକାରୀ ହସ୍ପିଟାଲରେ ବିନା ଟଙ୍କାରେ କୌଣସି କାମ ହୁଏ ନାହିଁ। ଏହି ହସ୍ପିଟାଲର ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ ଚୁକ୍ତି ଭତ୍ତିକ ନିଯୁକ୍ତିରେ ଅଛନ୍ତି। ସ୍ୱାସ୍ଥ୍ୟକର୍ମୀଙ୍କୁ ଠିକ୍ ଟାଇମ୍ରେ ଦରମା ମଧ୍ୟ ମିଳୁନି। ଏଭଳି ସ୍ଥିତିରେ ସେମାନେ ରୋଗୀଙ୍କ ପରିଜନଙ୍କ ଠାରୁ ଟଙ୍କା ଆଣିବା ପାଇଁ ଚେଷ୍ଟା କରିଥାନ୍ତି।





