ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧନ କରି ସାଂସଦ ମାନଙ୍କର ସହଯୋଗ ପାଇଁ ନିବେଦନ କରିଛନ୍ତି। ଏହି ଅଧିବେଶନ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ସବୁବେଳେ ସଂସଦକୁ ଯୋଗାଯୋଗର ଏକ ଦକ୍ଷ ମାଧ୍ୟମ ଭାବରେ ବିବେଚନା କରୁ। ଏହାକୁ ଏକ ତୀର୍ଥସ୍ଥାନ ଭାବରେ ବିବେଚନା କରାଯାଏ ।ଯେଉଁଠାରେ ଖୋଲା ମନର ବିତର୍କ ହୋଇଥାଏ। ଯଦି ଆବଶ୍ୟକ ହୁଏ, ତର୍କ ବିତର୍କ କରନ୍ତୁ । ସମାଲୋଚନା ମଧ୍ୟ କରନ୍ତୁ। ପ୍ରତିଟି ବିଷୟକୁ ବିସ୍ତୃତ ଭାବରେ ବିଶ୍ଳେଷଣ କରନ୍ତୁ । ଯାହାଦ୍ୱାରା ନୀତି ଏବଂ ନିଷ୍ପତ୍ତିରେ ଏକ ସକରାତ୍ମକ ଅବଦାନ ଅନୁଭୂତ ହୋଇ ପାରିବ। ମୁଁ ସାଂସଦ ମାନଙ୍କୁ ଅନୁରୋଧ କରିବି ଯେ ସେମାନେ ପୁଙ୍ଖାନୁପୁଙ୍ଖ ଏବଂ ଭଲ ଆଲୋଚନା କରନ୍ତୁ।

ଚଳିତ ଅଧିବେଶନକୁ ଯଥାସମ୍ଭବ ଫଳପ୍ରଦ କରିବା ପାଇଁ ସମସ୍ତ ପ୍ରୟାସ କରାଯିବା ଜରୁରୀ। ସମସ୍ତଙ୍କ ଉଦ୍ୟମ ଏବଂ ସହଯୋଗରେ ଗୃହ ଚାଲିଥାଏ। ଗୃହର ଗାରିମା ବଜାୟ ରଖିବା ସହ ଆମେ ସମସ୍ତେ ଆମର କର୍ତ୍ତବ୍ୟ ପାଳନ କରି ଜାତୀୟ ସ୍ବାର୍ଥରେ ଏହି ଅଧିବେଶନକୁ ବ୍ୟବହାର କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ମୌସୁମୀ ଅଧିବେଶନରେ ୧୮ ଟି କାର୍ଯ୍ୟ ଦିବସ ରହିଛି। ଏହା ଆଜିଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ସରକାର ୩୨ ଟି ବିଲ ତାଲିକାଭୁକ୍ତ କରିଛନ୍ତି, ସେଥିମଧ୍ୟରୁ ୨୪ଟି ନୂତନ ବିଲ ରହିଛି। ସଂସଦରେ ବର୍ତ୍ତମାନ ୩୫ ଟି ବିଲ ବିଚାରାଧୀନ ଅଛି, ସେଥିମଧ୍ୟରୁ ଆଠଟି ବିଲ ସରକାରଙ୍କ ପକ୍ଷରୁ ପୁନର୍ବିଚାର ପାଇଁ ଅଣାଯିବାକୁ ଯୋଜନା ରଖାଯାଇଛି।