ବିରୋଧୀ-ଶାସକଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରୁନି ସଂସଦ : ଜନତାଙ୍କର ୧୩୩ କୋଟି ଟଙ୍କା ବରବାଦ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ ଶେଷ ହୋଇଥିବା ବେଳେ ଏବେ ବି ସଂସଦରେ ଶାସକ-ବିରୋଧୀ ତାତି ଥମିବାର ନା ନେଉନି । ପେଗାସସ୍ ଜାସୁସୀ ମାମଲାକୁ ନେଇ ବିରୋଧୀ ଦଳ ଶାସକ ଦଳ ଉପରେ ଟାର୍ଗେଟ କରୁଥିବାବେଳେ ଶାସକ ଦଳ ମଧ୍ୟ ବିରୋଧୀ ଦଳ ଉପରେ ଦୋଷ ଲଦୁଛି । ଯାହାକୁ ନେଇ ଉଭୟ ପକ୍ଷର ସାଂସଦମାନେ ସଦନ ଭିତରେ ହଟ୍ଟଗୋଳ ଜାରି ରଖୁଛନ୍ତି । ତେବେ ବିରୋଧୀଙ୍କ ହଟ୍ଟୋଗଳ ଯୋଗୁଁ ମୌସୁମୀ ଅଧିବେଶନରେ ସଂସଦ କାର୍ଯ୍ୟ ବାଧାପ୍ରାପ୍ତ ହେବା କାରଣରୁ ୧୩୩ କୋଟିରୁ ଅଧିକ ଟଙ୍କା ନଷ୍ଟ ହୋଇଯାଇଛି। ସରକାରୀ ସୂତ୍ର ଏ ନେଇ ସୂଚନା ମିଳିଛି। ଜୁଲାଇ 19 ରୁ ଆରମ୍ଭ ହୋଇଥିବା ସଂସଦ ଅଧିବେଶନର ପ୍ରଥମ ଦିନରୁ ବିରୋଧୀ ପେଗାସସ୍ ଜାସୁସି ମାମଲାକୁ ମୁଦ୍ଦା କରିଛନ୍ତି।

ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଲଗାତାର ଦାବି କରି ଆସୁଥିବା ବେଳେ ସରକାର ନାରାଜ । ବିରୋଧୀ କହି ଆସୁଛନ୍ତି ଯେ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ନେତୃତ୍ୱରେ ମାମଲାର ନିରପେକ୍ଷ ତଦନ୍ତ କରାଯାଉ। ଇସ୍ରାଏଲର ପେଗାସସ୍ ସ୍ପାଇୱୟାର ବ୍ୟବହାର କରି ବିରୋଧୀ ଦଳର ନେତା, ବିଚାରପତି, ମନ୍ତ୍ରୀ ଏବଂ ଅନ୍ୟମାନଙ୍କ ଫୋନ୍ ହ୍ୟାକ୍ କରୁଥିବା ରିପୋର୍ଟକୁ ଦର୍ଶାଇ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରୁଛନ୍ତି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସଂସଦରେ କାର୍ଯ୍ୟ ବାଧାପ୍ରାପ୍ତ ହେତୁ ଲୋକସଭାରେ ସମ୍ଭାବ୍ୟ 54 ଘଣ୍ଟାରୁ ମାତ୍ର 7 ଘଣ୍ଟା ଚାଲିଥିବା ବେଳେ ସଂସଦରେ ଉଚ୍ଚ ସଦନ ରାଜ୍ୟସଭାରେ 53 ଘଣ୍ଟା ମଧ୍ୟରୁ 11 ଘଣ୍ଟା ଚାଲିଛି।

ସୂଚନା ମୁତାବକ ‘ଏପର୍ଯ୍ୟନ୍ତ ସଂସଦ ସମ୍ଭାବ୍ୟ 107 ଘଣ୍ଟାରୁ ମାତ୍ର 18 ଘଣ୍ଟା କାମ କରିଛି। ଅର୍ଥାତ୍ ପ୍ରାୟ 89 ଘଣ୍ଟା ନଷ୍ଟ ହୋଇଛି। ଏହାର ଅର୍ଥ ହେଉଛି ଟିକସଦାତାଙ୍କର ମୋଟ 133 କୋଟି ଟଙ୍କା ନଷ୍ଟ ହୋଇଛି। ଏହାକୁ ବିଜେପି ବିରୋଧୀଙ୍କ ଉପରେ ଦୋଷ ଲଦୁଥିବା ବେଳେ ବିରୋଧୀ ସରକାରଙ୍କୁ ଏଥିପାଇଁ ଦାୟୀ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ବିଜେପି ସାଂସଦମାନଙ୍କୁ ସନ୍ଦେଶ ଦେଇଛନ୍ତି ସେମାନେ ଏ ପ୍ରସଙ୍ଗକୁ “ଜନସାଧାରଣ ଏବଂ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରନ୍ତୁ। ଜୁଲାଇ ୧୯ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ଯେଉଁଥିରୁ ଏବେ ସୁଦ୍ଧା କେବଳ ୯ ଦିନ ଗୃହ ଚାଲିପାରିଛି । ହେଲେ ଗତ ୭ ଦିନର କଥା ବିଚାରକୁ ନେଲେ ଜଣାପଡୁଛି ଯେ, ଏହି ସାତ ଦିନ ଭିତରେ ସଂସଦ ମାତ୍ର ୧୨ ଘଣ୍ଟା ପାଇଁ ଚାଲିପାରିଛି । ଗତ ସପ୍ତାହେ ଭିତରେ ଲୋକସଭା ମାତ୍ର ୪ ଘଣ୍ଟା ପାଇଁ ସୁରୁଖୁରୁରେ ଚାଲିପାରିଥିବାବେଳେ ରାଜ୍ୟସଭା କେବଳ ୮.୨ ଘଣ୍ଟା ପାଇଁ ସୁରୁଖୁରୁରେ ଚାଲିପାରିଛି ।

Related Posts