ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ : ” ଚିକେନ, ମଟନ ଏବଂ ମାଛ ଅପେକ୍ଷା ଅଧିକ ଗୋ-ମାଂସ ଖାଆନ୍ତୁ”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ବିଜେପି ଶାସିତ ଅଧିକାଂଶ ରାଜ୍ୟ ସରକାର ଗୋ-ମାଂସ ବିକ୍ରି ଉପରେ ରୋକ ଲାଗୁ କରୁଛନ୍ତି। ଏବଂ ସବୁବେଳେ ଗୋ-ମାଂସ ବିକ୍ରିକୁ ବିରୋଧ କରି ଆସୁଛନ୍ତି। କିନ୍ତୁ ପଦ୍ମ ଦଳର ଜଣେ ମନ୍ତ୍ରୀ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଏକ ବୟାନ ଦେଇଛନ୍ତି। ମେଘାଳୟ ସରକାରରେ ମନ୍ତ୍ରୀ ଥିବା ସନବୋର ଶୁଲ୍ଲାଇ ଲୋକମାନଙ୍କୁ ଚିକେନ, ମଟନ ଓ ମାଛ ଅପେକ୍ଷା ଅଧିକ ଗୋ-ମାଂସ ଖାଇବାକୁ ପରାମର୍ଶ ଦେଇଛନ୍ତି। ବିଜେପି ସରକାରରେ କ୍ୟାବିନେଟ ମନ୍ତ୍ରୀ ଶୁଲାଇ କହିଛନ୍ତି ଯେ ଭାରତ ହେଉଛି ଏକ ଗଣତାନ୍ତ୍ରିକ ଦେଶ । ତେଣୁ ଯିଏ ଯାହା ଇଚ୍ଛା କରିବ ସେ ତାହା ଖାଇ ପାରିବେ।

ବିଜେପିର ଏହି ବରିଷ୍ଠ ନେତା ଗତ ସପ୍ତାହରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏବେ ସେ କହିଛନ୍ତି ଯେ ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତେ ନିଜ ଇଚ୍ଛାରେ ତାଙ୍କର ମନ ପସନ୍ଦର ଖାଦ୍ୟ ଖାଇପାରିବେ। ସେ କହିଛନ୍ତି ଯେ , “ମୁଁ ଲୋକଙ୍କୁ ଚିକେନ, ମଟନ ଓ ମାଛ ଅପେକ୍ଷା ଅଧିକ ଗୋ-ମାଂସ ଖାଇବାକୁ ଉତ୍ସାହିତ କରୁଛି। ଏହାଦ୍ୱାରା ବିଜେପି ଗୋ-ମାଂସ ଉପରେ ରୋକ ଲଗାଇବାକୁ ଯେଉଁ ଯୋଜନା କରୁଛି ବୋଲି ଲୋକମାନଙ୍କ ମନରେ ଯେଉଁ ଭାବନା ସୃଷ୍ଟି ହୋଇଛି , ତାହା ବଦଳିଯିବ।”

ମେଘାଳୟ ଭାଜପା ସରକାରରେ ପଶୁ ସମ୍ପଦ ମନ୍ତ୍ରୀ ଥିବା ସୋନବାର କହିଛନ୍ତି ଯେ ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସହ କଥା ହୋଇ ସେଠାରୁ ହେଉଥିବା ଗୋ-ଚାଲାଣ ଯେମିତି ପ୍ରଭାବିତ ନ ହେବ, ଏହାର ବ୍ୟବସ୍ଥା କରିବେ। କାରଣ ଆସାମ ସରକାର ଆଣିଥିବା ନୂଆ ବିଧେୟକ ଦ୍ୱାରା ସେଠାରୁ ମେଘାଳୟକୁ ହେଉଥିବା ଗୋ-ଚାଲାଣ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି।

ମେଘାଳୟ ଓ ଆସାମ ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ସମ୍ପର୍କରେ ମତ ରଖି ମନ୍ତ୍ରୀ କହିଛନ୍ତି ଯେ, ସୀମା ତଥା ଏହାର ଲୋକଙ୍କୁ ସୁରକ୍ଷା ପାଇଁ ରାଜ୍ୟ ପୋଲିସ ଫୋର୍ସ ବ୍ୟବହାର କରିବାର ସମୟ ଆସିଛି। ଯଦି ସୀମାରେ ଆସାମ ଲୋକ ମାନେ ଆମ ଲୋକମାନଙ୍କୁ ହଇରାଣ କରିବ, ତା’ହେଲେ ଆମେ କେବଳ ଏକାଠି ବସି କଥା ହେବୁନାହିଁ କି ଚା’ ପିଇବୁ ନାହିଁ। ଆମେ ମଧ୍ୟ ଏହାର ଜବାବ ଦେବୁ। ତେବେ ସେ ହିଂସା ସପକ୍ଷରେ ନାହାଁନ୍ତି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।

Related Posts