
ଗୋଟିଏ ବର୍ଷ ପୂର୍ବରୁ ଡୋକଲାମରେ ଭାରତ ଓ ଚୀନ ସୈନିକଙ୍କ ଭିତରେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ସ୍ଥିତି । ଯାହା ଭାରତ ସମେତ ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଥିଲା । ଭାରତ ଓ ଚୀନ୍ ମଧ୍ୟରେ ଯୁଦ୍ଧ ହେବ ବୋଲି ମଧ୍ୟ ଆଶଙ୍କା ସୃଷ୍ଟି ହୋଇଥିଲା । 73 ଦିନ ଯାଏଁ ଡୋକଲାମରେ ଏହିଭଳି ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଥିଲା ।
କିନ୍ତୁ ଭାରତର କୁଟନୈତିକ ପଦକ୍ଷେପ, ସାହସ ଓ ଧୈର୍ଯ୍ୟ ଫଳରେ ଏହି ଯୁଦ୍ଧ ଆଶଙ୍କା ଟଳି ଯାଇଥିଲା । ଏବେ ଡୋକଲାମକୁ ନେଇ ସଂସଦରେ ନିଜ ରିପୋର୍ଟ ରଖିଛି ସଂସଦୀୟ ସମିତି । ଯେଉଁଥିରେ ଡୋକଲାମ ବିବାଦ ମେଣ୍ଟାଇବା ପାଇଁ ମୋଦି ସରକାରଙ୍କୁ ପ୍ରଶଂସା କରାଯାଇଛି ।
ଏଥିରେ କୁହାଯାଇଛି ଯେ ଦୁଇ ଦେଶ ମଧ୍ୟରେ 13 ରାଉଣ୍ଡର କୂଟନୈତିକ ଆଲୋଚନା ପରେ ଡୋକଲାମ ବିବାଦ ଶେଷ ହୋଇଥିଲା । ଡୋକଲାମ ବିବାଦ ମେଣ୍ଟାଇବା ପାଇଁ ହେମବର୍ଗରେ ଜି-20 ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହା ଉପରେ ଆଲୋଚନା କରିଥିଲେ ।
ଡୋକଲାମରେ ଚୀନ୍ର ଅତିକ୍ରମଣକୁ ଅସଫଳ କରାଯାଇଥିଲା । ଯଦିଓ ଏବେ ଡୋକଲାମରେ ସ୍ଥିତି ସ୍ବାଭାବିକ ଅଛି, ତେବେ ସେଠାରେ ଚୀନ ସେନା ପକ୍ଷରୁ ନିର୍ମିତ ଭିତ୍ତିଭୂମି ଏବେ ବି ସେଠାରେ ଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସଂସଦୀୟ ସମିତି । ଏ ନେଇ ଭୁଟାନ ସରକାରଙ୍କ ସହ ସହ ଲଗାତାର ସମ୍ପର୍କ ରକ୍ଷା କରିବାକୁ ଭାରତ ସରକାରଙ୍କୁ ପରାମର୍ଶ ଦିଆଯାଇଛି ।
ଡୋକଲାମ ବିବାଦ କାହିଁକି ?
ଡୋକଲାମ ହେଉଛି ଏକ ବିବାଦୀୟ ଭୂମି ଯାହାକୁ ଆମ ଦେଶ ଭାରତରେ ଡୋକଲାମ, ଭୁଟାନରେ ଡୋକ-ଲା ଓ ଚୀନ୍ରେ ଡୋକଲାଂକ କୁହାଯାଏ । ଏହି ଭୂଭାଗକୁ ଚୀନ୍-ଭୁଟାନ ଉଭୟ ନିଜର ବୋଲି ଦାବି କରନ୍ତି । ଡୋକଲାମର କିଛି ଅଂଶ ସିକିମ୍କୁ ଲାଗି ରହିଛି । ଚୀନ୍ ସେଠାରେ ରାସ୍ତା ନିର୍ମାଣ କରିବାକୁ ଚାହୁଁଥିଲା ।
ଭୁଟାନ ଓ ଚୀନ୍ ମଧ୍ୟରେ କୌଣସି ରାଜନୈତିକ ସମ୍ପର୍କ ନାହିଁ । ଏଥିପାଇଁ ଭୁଟାନକୁ ଏମିତି ପ୍ରସଙ୍ଗରେ ଭାରତ ପକ୍ଷରୁ ସାମରିକ ଓ ରାଜନ୍ୟାୟିକ ସହଯୋଗ ମିଳେ । ଡୋକଲାମରେ ଚୀନ୍ର ରାସ୍ତା ନିର୍ମାଣକୁ ଭାରତ ପକ୍ଷରୁ ବିରୋଧର କାରଣ ହେଲା ଏହି ରାସ୍ତା ନିର୍ମାଣ ହେବା ଫଳରେ ଚୀନ୍ ସେନା ଚିକେନ୍ ନେକ୍ ଯାଏଁ ପହଞ୍ଚି ଯିବ, ଯାହା ଭାରତର ସୁରକ୍ଷା ପାଇଁ ବଡ଼ ବିପଦ ଆଣିବ ।
ଚିକେନ୍ ନେକ୍ ହେଉଛି ପୂର୍ବ ଭାରତର ଶେଷ ଭାଗକୁ ଅବଶିଷ୍ଟ ଭାରତ ସହ ଯୋଡ଼ୁଥିବା ଏକ ଭୂଭାଗ, ଯାହାର ପ୍ରସ୍ଥ ମାତ୍ର 17 କିଲୋମିଟର ଓ ଲମ୍ବ 200 କିଲୋମିଟର । ସଂସଦୀୟ ସମିତିର ରିପୋର୍ଟରେ ଡୋକଲାମ ଆଖପାଖରେ ଚୀନ୍ ସେନାର ଗତିବିଧିକୁ ଦେଖି ସତର୍କ ରହିବାକୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି ।
କୁହାଯାଉଛି ଯେ ଏବେ ଡୋକଲାମ ବିବାଦ ଶାନ୍ତ ହୋଇଛି କିନ୍ତୁ ଶେଷ ହୋଇନାହିଁ । କାରଣ ଚୀନ୍ର କଥା ଆଉ କାମ କେତେବେଳେ ବି ସମାନ ନ ଥାଏ । ଏମିତିରେ ଡ୍ରାଗନ୍ ଉପରେ କେବେ ବି ବିଶ୍ବାସ କରାଯାଇପାରିବ ନାହିଁ ।