ପଞ୍ଚମ ଓ ଅଷ୍ଟମରେ ପାସ ଫେଲ ବ୍ୟବସ୍ଥା ରହିବ : ଗଣଶିକ୍ଷା ମନ୍ତ୍ରୀ

ସତ୍ୟପାଠ ବ୍ୟୁରୋ : ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଓ ସୁଧାର ଆଣିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନୂଆ ବ୍ୟବସ୍ଥା ଆଣିବାକୁ ଯାଉଛି । ପଂଚମ ଓ ଅଷ୍ଟମରେ ପାସ ଫେଲ ବ୍ୟବସ୍ଥା ରହିବ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସୀମର ରଂଜନ ଦାସ । ପୂର୍ବରୁ ଏ କ୍ଷେତ୍ରରେ ସମସ୍ତ ଛାତ୍ରଛାତ୍ରୀ ପାସ ହେଉଥିବା ବେଳେ ଏହି ବ୍ୟବସ୍ଥା ଦ୍ୱାରା ଶିକ୍ଷାକ୍ଷେତ୍ରରେ ସୁଧାର ଆସି ପାରିବ ବୋଲି ବିଭାଗ ଚିନ୍ତା କରୁଛି ।

ଗୃହରେ ଶିକ୍ଷା ପ୍ରସଙ୍ଗରେ ମୂଲତବୀ ପ୍ରସ୍ତାବ ଆଲୋଚନା ବେଳେ ଉତ୍ତର ରଖିଥିଲେ ମନ୍ତ୍ରୀ ସମୀର ରଂଜନ ଦାସ । ଶିକ୍ଷାକ୍ଷେତ୍ରରେ ବିଭାଗ ସଂସ୍କାର ଆଣିବାକୁ ଚିନ୍ତା କରୁଥିବା ମନ୍ତ୍ରୀ କହିଛନ୍ତିି । ୨୦୦୦ ମସିହାରେ ବିଜେଟରେ ଶିକ୍ଷା କ୍ଷେତ୍ରରେ ୧୩୦୩ କୋଟି ଟଙ୍କା ଥିବା ବେଳେ ୨୦୧୬ରେ ଏହା ୧୬୪୯୭ କୋଟିରେ ପହଂଚିଛି । ନୂତନ ଶିକ୍ଷାନୀତି ପାଇଁ ୨୦ ପ୍ରତିଶତ ଖର୍ଚ୍ଚ କରାଯିବାକୁ ବ୍ୟବସ୍ଥା କରାଯାଇଛି ।

ଏଣିକି ପଂଚମ ଓ ଅଷ୍ଟମରେ ପାସ ଫେଲ ବ୍ୟବସ୍ଥା ରହିବ ବୋଲି ମନ୍ତ୍ରୀ ଏହି ଅବସରରେ କହିଛନ୍ତି । ସରକାରୀ ସ୍କୁଲରେ ୯୧ ପ୍ରତିଶତ ପିଲା ପାଠ ପଢ଼ୁଥିବା ବେଳେ ୮.୯୪ ପ୍ରତିଶତ ସ୍କୁଲ ଛାଡୁଛନ୍ତି । ଏହାର ପ୍ରତିକାର ପାଇଁ ରାଜ୍ୟ ପରାମର୍ଶଦାତା ପରିଷଦ ଗଠନ କରାଯିବ । ତେବେ ୧୭ଟି ଜିଲ୍ଲାରେ ନିଜ ଭାଷାରେ ଶିକ୍ଷାଦାନ କରାଯାଉଥିବା ବେଳେ ରାଜ୍ୟର ଯେଉଁଠି ସ୍କୁଲ ବନ୍ଦ ରହିଛି ଜିଲ୍ଲାପାଳ ପ୍ରସ୍ତାବ ଦେଲେ ତାହା ଖୋଲାଯିବ ବୋଲି ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ରଂଜନ ଦାସ ।

Related Posts