ଖସୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର : ଜଳବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ

ସତ୍ୟପାଠ ବ୍ୟୁରୋ : ଖସୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ସ୍ଥିତି ଏମିତି ହେଲାଣି ଯେ, ଜଳ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଯେଉଁଥିପାଇଁ ବୁର୍ଲା ଜଳ ବଦ୍ୟୁତ କେନ୍ଦ୍ରର ଦୁଇଟି ୟୁନିଟକୁ ବନ୍ଦ କରି ଦିଆଯାଇଛି । ଏଥିଯୋଗୁଁ ବୁର୍ଲା ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ୫୫ ମେଗାୱାଟ ଜଳ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ରହିଥିବା କହିଛନ୍ତି ଜିଏମ୍ ଜ୍ଞାରଂଜନ ଦାଶ । ଏପରିକି ଚିପିଲିମା ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ୨୦ ମେଗାୱାଟ ଜଳ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇବାର ସମ୍ଭାବନା ଥିବା କହିଛନ୍ତି ଏହାର ୟୁନିଟ ପ୍ରମୁଖ ଦେବାଶୀଷ ମିଶ୍ର । ଉପରମୁଣ୍ଡରେ ବର୍ଷା ନହେବା ଫଳରେ ଏହି ସ୍ଥିତି ଦେଖାଦେଇଥିବା ଜଣାପଡିଛି ।

ଉପରମୁଣ୍ଡରେ ବର୍ଷା ହେଉନି । ଯାହାର ସିଧା ପ୍ରଭାବ ପଡିଛି ହୀରାକୁଦ ଜଳ ଭଣ୍ଡାର ଉପରେ । ପାୱାର ଚାନେଲକୁ ପାଣି ନମିଳିବା ଫଳରେ ଜଳ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହୋଇଛି । ସୋମବାର ଜଳଭଣ୍ଡାରରୁ ପାୱାର ଚାନେଲକୁ ମାତ୍ର ୩୫୦୦ କ୍ୟୁସେକ୍ ପାଣି ମିଳିଛି । ଯେଉଁଥିପାଇଁ ବୁର୍ଲା ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ୩ଟି ୟୁନିଟରୁ ୨ଟି ବନ୍ଦ କରି ଦିଆଯାଇଛି । ମାତ୍ର ଗୋଟିଏ ୟୁନିଟ ଜରିଆରେ ଏଠାରୁ ଏବେ ମାତ୍ର ୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇପାରିବ ବୋଲି କୁହାଯାଇଛି ।

ଜଳ ଭଣ୍ଡାର ସୂତ୍ରରୁୁ ମିଳିଥିବା ସୂଚନା ଅନୁସାରେ, ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୫୯୮.୭୭ ଫୁଟରେ ପହଂଚିଛି । ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୫୬୮୪ ଘନଫୁଟ ପାଣି ପ୍ରବେଶ କରୁଥିବା ବେଳେ ୧୦,୬୪୯ ଘନଫୁଟ ପାଣି ନିଷ୍କାସିତ ହେଉଛି । ଜଳଭଣ୍ଡାରର ଉପରମୁଣ୍ଡରେ ଆଦୌ ବର୍ଷା ହେଉନଥିବା ବେଳେ ତଳ ମୁଣ୍ଡରେ ୦.୩୯ ମିମି ବର୍ଷା ରେକର୍ଡ କରାଯାଇଛି । ଉପରମୁଣ୍ଡରେ ବର୍ଷା ନହେଲେ ମଧ୍ୟ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୫୯୫ ଫୁଟ ରଖାଯାଇ ଜଳସେଚନ ଯେଭଳି ପ୍ରଭାବିତ ନହେବ ସେନେଇ ବ୍ୟବସ୍ଥା କରାଯାଉଥିବା ହୀରାକୁଦ ନଦୀବନ୍ଧ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।

Related Posts