ନୟାଗଡରେ ରୋଗୀ ମୃତ୍ୟୁକୁ ନେଇ ବିବାଦ : କିଏ କହୁଛି ସତ, କର୍ତ୍ତୁପକ୍ଷ ନା ସଂପର୍କୀୟ

ସତ୍ୟପାଠ ବ୍ୟୁରୋ : ଉତ୍ତମ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ମନ୍ତ୍ରୀ ସମୀକ୍ଷା କରୁଛନ୍ତି, ବିଭାଗ ଏମଓୟୁ ସ୍ୱାକ୍ଷର କରୁଛନ୍ତି । ହେଲେ ରାଜ୍ୟରେ ସ୍ୱାସ୍ଥ୍ୟସେବା କେମିତି ଚାଲିଛି ତାହାର ଆଉ ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୟାଗଡରେ । ଖୋଦ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲେସିସ୍ ଚାଲୁଥିବା ବେଳେ ବିଦ୍ୟୁତ କଟିଯିବା ସହ ଜେନେରେଟର ନଚାଲିବାରୁ ଜଣେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପତ୍ନୀ ।

 

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଡନୀ ରୋଗରେ ଆକ୍ରାନ୍ତ ରୋଗୀଙ୍କ ଡାଏଲେସିସ୍ ଚାଲିଥିଲା । ହେଲେ ଅଧା ଡାଏଲେସିସ୍ରେ ହଠାତ୍ ଚାଲିଗଲା ବିଦ୍ୟୁତ । ବିଦ୍ୟୁତ କାଟ ପରେ ଚାଲି ପାରିଲାନି ଜେନେରେଟର । ଅପରେଟର ଛୁଟିରେ ଥିବାରୁ ଝାଡୁଦାର ଆସି ଜେନେରେଟର ଚଳାଇବାକୁ ଚେଷ୍ଟା କଲେ କିନ୍ତୁ ଷ୍ଟାର୍ଟ ହେଲାନି ଜେନେରେଟର । ଘଂଟାଏ ଯାଏ ଚାଲିଲା ଧାଁ ଧପଡ । କିନ୍ତୁ ଜେନେରେଟର ଚାଲିଲାନି କି ବିଦ୍ୟୁତ ଆସିଲାନି । ଫଳରେ ଡାଏଲେସିସ୍ ବେଡରେ ଚାଲିଗଲା ଜୀବନ । ଦଶପଲ୍ଲା ମହୁଲିଆର ଗଙ୍ଗାଧର ସ୍ୱାଇଁଙ୍କ ଏଭଳି ମୃତ୍ୟୁ ହୋଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।

ତେବେ ଏ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନୟାଗଡ ସିଡିଏମଓ ଶ୍ୱେତ ମହାପାତ୍ର । ବିଦ୍ୟୁତକାଟ ହୋଇଛି ଓ ଜେନେରେଟର ଚାଲିନି ସତ କିନ୍ତୁ ଏଥିପାଇଁ ଗଙ୍ଗାଧରଙ୍କ ମୃତ୍ୟୁ ହୋଇନି । ବରଂ ରୋଗୀ ଗୁରୁତର ଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସିଡିଏମଓ କହିଛନ୍ତି । ଅବଶ୍ୟ ଏଯାଏଁ ସ୍ୱାସ୍ଥ୍ୟବିଭାଗ ତରଫରୁ ଏହି ଘଟଣାର ତଦନ୍ତ ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ।

Related Posts