ସମୀକ୍ଷା ନାଁରେ ସଫା

ସତ୍ୟପାଠ ବ୍ୟୁରୋ : ପାଟକୁରା ଫଳାଫଳ କାହା ଉପରେ କଣ ପ୍ରଭାବ ପକାଉ ନ ପକାଉ ବିଜେଡି ଭିତରେ ବଡ ପ୍ରଭାବ ପକାଇଛି। କାହିଁକି ଭୋଟହାର କମିଲା ତାର ଜବାବ ମାଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ଜିଲ୍ଲା ବାହାରୁ ବହୁ ନେତା ଯାଇ ଡେରା ପକାଇଥିଲେ ବି ଜିଲ୍ଲାର ତିନି ହେଭିୱେଟ୍ ବିଧାୟକଙ୍କୁ ଟ୍ୟୁସନ କରିଛନ୍ତି ସଭାପତି। ଯାହାକୁ ନେଇ ଏବେ ପୁଣିଥରେ ବିଜେଡି ଶିବିରରେ ହଟଚମଟ ଆରମ୍ଭ ହୋଇଛି।

ପାଟକୁରାରେ ନବୀନ ବାବୁଙ୍କ ଜିଦ୍ ରହିଛି। ବିଜୟ ମହାପାତ୍ରଙ୍କୁ ବିଧାନସଭାର ବାରଣ୍ଡା ଚଢାଇ ଦିଆଯାଇନି। ଗୋଟିଏ ପଟେ ନବୀନଙ୍କ ଜିଦ୍ ଓ ସାବିତ୍ରୀ ଙ୍କ ଭଳି ଫ୍ରେସର୍ କ୍ୟାଣ୍ଡିଡେଟ୍ ଆଉ ଅନ୍ୟପଟେ ବିଜୟ ମହାପାତ୍ରଙ୍କ ଭଳି ପୋଖତ ଖେଳୁଆଡ ଓ ଶେଷ ନିର୍ବାଚନର ଅନୁକମ୍ପା । ଏଠି ହାରଜିତ୍ କେବଳ ବିଧାୟକ ପାଇଁ ନୁହେଁ ସମ୍ମାନ ଓ ସ୍ବାଭିମାନ ଭିତରେ ଜିଦ୍ ର ଫଳାଫଳ ନିର୍ଭର କରୁଥିଲା। ଖାସ୍ ସେଇଥିପାଇଁ ତ ଏତେ ଆୟୋଜନ ହୋଇଥିଲା।

ଯଦିଓ ପ୍ରାକ୍ ଆକଳନ ହେଉଥିଲା ବିଜେଡି ନିଶ୍ଚିତ ଜିତିବ କିନ୍ତୁ ପ୍ରାର୍ଥୀତ୍ୱକୁ ଦେଖି ବିଜୟର ଭୟ ଥିଲା ବିଜେଡି ନେତାଙ୍କ ମନରେ।ତେବବେ ଯାହାବି ହେଉ ନିର୍ବାଚନ ସରିଲା। ବିଜେଡି ପାଖାପାଖି ୧୮ ହଜାର ଭୋଟରେ ଜିତିଲା। ନବୀନଙ୍କ ଜିଦ୍ ରହିଲା। ଅନ୍ତଃତ ସେ ଥିବା ଯାଏ ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପ୍ରବେଶ କରାଇ ଦେଲେନି। ଏହାକୁ ନେଇ ନବୀନ ବାବୁ ଓ ବିଜେଡିର ଜୟ ଜୟକାର ହେଲା। ତେବେ କୁହାଯାଇପାରେ ଦୁଇଟି କାରଣ ପାଇଁ ପାଟକୁରା ଫଳଫାଳ ଉପରେ ସମସ୍ତଙ୍କ ନଜର ଥିଲା। ପ୍ରଥମତଃ ବିଜୟ ବାବୁ ଜିତୁଛନ୍ତି ନା ନବୀନ ବାବୁଙ୍କ ଜିଦ୍ ରହୁଛି ଆଉ ଦ୍ବିତୀୟଟି ହେଲା କ୍ୟାବିନେଟରେ ଗୋଟିଏ ମନ୍ତ୍ରୀ ପଦ ଝୁଲାଇ ଖାଲି ରଖାଯାଇଛି, ଯାହା କେନ୍ଦ୍ରାପଡ଼ାରୁ କାହାକୁ ଜଣକୁ ମିଳିବ। ଜିଲ୍ଲାରେ ଶଶୀଭୂଷଣ ବେହେରା, ଅତନୁ ସବ୍ୟସାଚୀ ଓ ପ୍ରତାପ ଦେବ ମନ୍ତ୍ରୀ ପାଇଁ ଦାବିବାର ଥିବାରୁ ନିର୍ବାଚନରେ ଅଧିକ ପରିଶ୍ରମ ଏମାନେ ହିଁ କରିଛନ୍ତି। ଲାଗୁଥିଲା ବି ପାଟକୁରା ଫାଇଟ ପରେ ଏମାନଙ୍କ ଭିତରୁ ଜଣେ କିଏ ମନ୍ତ୍ରୀ ହେବ। କାଳେ ଆଗୁଆ କାହାକୁ ମନ୍ତ୍ରୀ କଲେ ଅନ୍ୟମାନେ ସମସ୍ୟା ସାଜିବେ ସେଥିପାଇଁ ରିସ୍କ ନେଇନଥିଲା ଦଳ।

ଜିତିବା ପରେ ସବୁଆଡ଼େ ଖୁସିର ମାହୋଲ। କିନ୍ତୁ ବିଜେଡି ସମୀକ୍ଷା କଲା । ଆଉ ଏ ବୈଠକର ନିଷ୍ପତି ଯାହା ବାହାରକୁ ଆସିଲା ତାହା ହେଲା ପାଟକୁରା ଫଇସଲା କୁ ନେଇ ନବୀନ ଅସନ୍ତୁଷ୍ଟ ବା ନାଖୁସ। ତେଣୁ ଏ ଲଢେଇର ସେନାପତିମାନଙ୍କୁ ଯେମିତି ସାବାସୀ ଦେବାକଥା ନବୀନ ସେମିତି କିଛି କଲେନାହିଁ। କୁହାଯାଇଛି ନବୀନ କିମ୍ବା ତାଙ୍କର ଚଳନ୍ତି ପ୍ରତିମା ପ୍ରଶାସକ ଚାହୁଁ ନାହାନ୍ତି ଏ ୩ ଜଣକ ଭିତରୁ କାହାକୁ ମନ୍ତ୍ରୀ କରିବାକୁ। ଜଣକୁ ଦେଲେ ଅଙ୍କ ବିଗିଡିବ। ଯେଉଁଥିପାଇଁ ସମୀକ୍ଷା ନାଁରେ ଅସନ୍ତୁଷ୍ଟ ଫର୍ମୁଲାଟି ବାହାରିଲା। ଆଉ ଭୋଟ କମିଲା ଆଳ ଦେଖାଇ ଏ ନିଷ୍ପତି ଶୁଣାଇ ଦେଲେ ସୁପ୍ରିମୋ। ଯେହେତୁ ଭୋଟ ନାହିଁ ତେଣୁ ଦାବିଦାର ବି କେହି ରହିଲେ ନାହିଁ ବୋଲି ଜଣାଇ ଦିଆଗଲା। ଏକଥାକୁ କିଏ ବୁଝୁ ବା ନ ବୁଝୁ କେନ୍ଦ୍ରାପଡ଼ାର ନେତାଏ ଠିକ୍ ବୁଝି ଯାଇଛନ୍ତି।

Related Posts