ଗରୀବଙ୍କୁ ଦରମା ଟଙ୍କା ବାଣ୍ଟିଲେ ପାଟଣାଗଡ ବିଧାୟକ

ସତ୍ୟପାଠ ବ୍ୟୁରୋ : ସୁଖରେ ଦୁଃଖରେ ଯେ ଛିଡା ହୁଏ ସେ ପ୍ରକୃତ ବନ୍ଧୁ। ଆଉ ଏମିତି ବନ୍ଧୁଟିଏ ଭଳି ନେତାଟିଏ ପାଇବାକୁ ଭୋଟ ଦିଅନ୍ତି ଜନତା। ଆଶା ଥାଏ ଜନତାର ସବୁ ସମୟରେ ପାଖରେ ଛିଡା ହେବ ଜନ ପ୍ରତିନିଧି। ଏମିତି କ୍ୱଚିତ ଉଦାହରଣ ଥିବା ବେଳେ ସେହି କ୍ବଚିତ ତାଲିକାରେ ଯୋଡି ହୋଇଛି ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ନାଁ। ଯେଉଁ ବିଧାୟକ ନିମ୍ନମାନର ରାସ୍ତା କାମ ପାଇଁ ଯନ୍ତ୍ରୀଙ୍କୁ ଉଠବସ କରାଇ ଜେଲ ଯାଇଥିଲେ ସେଇ ବିଧାୟକ ସରୋଜ ମେହେର ଏବେ ପୁଣି ଚର୍ଚ୍ଚାରେ।

ଗରୀବ ଓ ଅସହାୟ ଲୋକଙ୍କୁ ନିଜ ଦରମା ଟଙ୍କାକୁ ସହାୟତା ରାଶି ଭାବେ ବାଣ୍ଟିଛନ୍ତି ବିଧାୟକ।ଖପ୍ରାଖୋଲ ବ୍ଲକ ମାଟିଆଭଟା ପଂଚାୟତ ସାଲେପାଲି, ପୁତୁଲାମହୁଲ, କଟାପାଲି, ମାଟିଆଭଟା, କେନ୍ଦୁଭଟା, ଅନକାମରା ଗ୍ରାମରେ ପଥପ୍ରାନ୍ତ ସଭା କରିବା ସହ ଏହି ଅଞ୍ଚଳର ୪୩ ଜଣ ଗରିବ ଅସହାୟ ଲୋକଙ୍କୁ ନିଜ ଦରମା ଟଙ୍କାରୁ ୫ ଶହ ଟଙ୍କା ଲେଖାଏଁ ସହାୟତା ବାଣ୍ଟିଛନ୍ତି ବିଧାୟକ ଶ୍ରୀ ମେହେର। ଏହା ସହ ସବୁ ରବିବାର ସେ ଗୋଟିଏ ଲେଖାଏଁ ପଂଚାୟତ ବୁଲି ଗରିବ ଲୋକମାନଙ୍କୁ ତାଙ୍କ ଦରମା ଟଙ୍କାରୁ ସହାୟତା ବାଣ୍ଟିବେ ବୋଲି ଘୋଷଣା କରିଛନ୍ତି। ବିଧାୟକଙ୍କ ଏହି ବଦାନ୍ୟତାକୁ ଦେଖି ଲୋକେ କହିଲେଣି ବିଧାୟକ ହେବ ତ ଏମିତି।

Related Posts