ଜାମିନ ମିଳିଲାନି, ଜେଲ ଗଲେ ବିଧାୟକ

ସତ୍ୟପାଠ ବ୍ୟୁରୋ : ସରକାରୀ ଅଧିକାରୀଙ୍କୁ ସର୍ବ ସମ୍ମୁଖରେ ଉଠବସ୍ କରାଇବା ଓ ଅପମାନିତ କରିବା ମହଙ୍ଗା ପଡିଛି ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ । ସଂଗୀନ ଦଫାରେ ଗିରଫ ହୋଇଛନ୍ତି ବିଧାୟକ । ଜାମିନ ଆବେଦନ କରିଥିଲେ ବି ଏଡିଜେ କୋର୍ଟ ତାହାକୁ ଖାରଜ କରି ଦେଇଛନ୍ତି ଫଳରେ ବିଧାୟକଙ୍କୁ ଏବେ ଜେଲ ଯିବାକୁ ପଡିଛି ।

ଗତକାଲି ନୂଆପଡାର ଏକ ଲଜରୁ ତାଙ୍କୁ ଗିରଫ କରିଥିଲା ପାଟଣାଗଡ ପୁଲିସ । ସେଠାରେ ସେ ଗତ ୨୨ ତାରିଖରୁ ଆତ୍ମଗୋପନ କରିଥିବା ପୁଲିସ ଖବର ପାଇଥିଲା । ଅତି ଚତୁରତାର ସହ ବିଧାୟକ ନିଜ ଡ୍ରାଇଭର ପର୍ଶୁରାମ ବରିହା ନାମରେ ରୁମ୍ ବୁକ୍ କରି ଉକ୍ତ ଲଜରେ ରହୁଥିବା ଖବର ମିଳିଥିଲା ପୁଲିସକୁ । ଏହାପରେ ତାଙ୍କୁ ଗିରଫ କରିବା ପାଇଁ ଏସପି ଏସ୍ ଶିବା ସୁବ୍ରମଣିଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଗଠନ କରାଯାଇଥିଲା ।

ଗତକାଲି ରାତିରେ ହିଁ ତାଙ୍କୁ ପୁଲିସ ହେପାଜତକୁ ନେଇଥିବା ବେଳେ ଆଜି ସକାଳୁ ନୂଆପଡାରୁ ବଲାଙ୍ଗୀର ଅଣାଯାଇଥିଲା । ସେଠାରେ ମନୋହରପୁର ରିଜର୍ଭ ବାରାକକୁ ଅଣାଯାଇଥିଲା । ସେଠାରେ ପ୍ରାୟ ତିନି ଘଂଟା କାଳ ବିଧାୟକଙ୍କୁ ଜେରା କରିଥିଲେ ଏସପି । ପରେ ତାଙ୍କୁ ଏକ ଘରୋଇ ଗାଡି ଯୋଗେଁ ୪୦ କିମି ଦୂର ପାଟଣାଗଡ ଥାନାକୁ ଅଣାଯାଇଥିଲା । କାଳେ କିଛି ଅଘଟଣ ଘଟିବ ସେନେଇ ଥାନାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସବୁ କିଛି ଜିଲ୍ଲା ଏସପିଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ହେଉଥିବା ଦେଖିବାକୁ ମିଳିଥିଲା । ପରେ କଡା ସୁରକ୍ଷା ବଳୟରେ ବିଧାୟକଙ୍କୁ ଗିରଫ କରାଯାଇ ପାଟଣାଗଡ ଏଡିଜେ କୋର୍ଟରେ ହାଜର କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ଜାମିନ ନାମଂଜୁର ହେବାରୁ ତାଙ୍କୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ପାଟଣାଗଡ ଉପକାରାଗାରକୁ ପଠାଇ ଦିଆଯାଇଛି ।

ଜୁନ ୫ ତାରିଖରେ ବେଲପଡା ବ୍ଲକ ଗମ୍ଭାରୀ ଗାଁ ଠାରେ ଏକ ନିର୍ମାଣାଧିନ ରାସ୍ତା ନିମ୍ନମାନର ହେଉଥିବା ଅଭିଯୋଗ ହୋଇଥିଲା । ଏହାର ତଦାରଖ ପାଇଁ ବିଧାୟକ ଉକ୍ତ ସ୍ଥାନକୁ ଯାଇଥିଲେ । ଘଟଣାର ଯାଂଚ କରିବା ସହ ୫ ମିନିଟରେ ୧୦୦ଥର ବସଉଠ ହେବା ପାଇଁ ଉପସ୍ଥିତ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉଠବସ୍ ନହେଲେ ଲୋକେ ମାଡ ମାରିବେ ବୋଲି ବିଧାୟକ କହିଥିଲେ । ଏସଂପର୍କିତ ଏକ ଭିଡିଓ ଭାଇରାଲ ହେବା ପରେ ଘଟଣା ଅଧିକ ଜଟିଳ ହୋଇଥିଲା । ଜେଇଙ୍କ ପତ୍ନୀ ଏନେଇ ପାଟଣାଗଡ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ଭାରତୀୟ ଦଣ୍ଡବିଧୀ ଆଇନର ଦଫା ୩୪୧, ୩୬୩, ୨୯୪, ୩୨୩, ୩୫୩, ୩୫୫, ୫୦୦ ଭଳି ସଂଗୀନ ଦଫା ଲାଗିଥିଲା ବିଧାୟକଙ୍କ ନାଁରେ । ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ମହଲରୁ ଚାପ ପଡୁଥିଲା । ଆସନ୍ତାକାଲି ଠାରୁ ବିଧାନସଭା ଆରମ୍ଭ ହେବାକୁ ଥିବା ବେଳେ ବିରୋଧୀ ଦଳ ଏହାକୁ ଏକ ମୁଦ୍ଦା କରି ଗୃହ ହୁଲସ୍ତୁଲ କରିବା ଆଶଙ୍କା ଥିଲା ।

Related Posts