ନବୀନ ଜିନ୍ଦାବାଦ; ବହୁତ ହେଲା ବିଜୁଙ୍କ ରାସ୍ତା

ସତ୍ୟପାଠ ବ୍ୟୁରୋ : ବିଜେଡିରେ ବିଜୁ ବାବୁ ଆଉ ନବୀନ ବାବୁଙ୍କୁ ଠିକଭାବେ ବୁଝିବାରେ ଉଲମ୍ ବିଲମ୍ ହୋଇଗଲେ କିଭଳି ଦଶା ଭୋଗିବାକୁ ପଡେ ତାହାର ଜ୍ୱଳନ୍ତ ଉଦାହରଣ ହେଉଚନ୍ତି ପାଟଣାଗଡର ବିଧାୟକ ସରୋଜ ମେହେର । ବାବୁଙ୍କ ଟୀପ୍ପଣାରେ ପଂଚମରେ ବୃହସ୍ପତି ଯୋଗ ଚାଲିଛି । ଯାହାର ଶକ୍ତିରେ ବିଜେପିର ମହାରଥୀ କନବର୍ଦ୍ଧନ ସିଂଦେଓଙ୍କୁ ଧରାଶାୟୀ କଲେ । ରାଜଯୋଗ ପ୍ରାପ୍ତି ହେଲା । କିନ୍ତୁ ବିଜୁ ବାବୁ ଆଉ ନବୀନ ବାବୁଙ୍କ ହିସାବ ପାଇଲେ ନାହିଁ । ରାତିଅଧିଆ ବୃହସ୍ପତିଙ୍କ ସ୍ଥାନରେ ରାହୁ ଚଳନ ହେଲା । ଏବେ ସିଂହାସନ ପରିବେର୍ତ୍ତ ମାମୁଁ ଘର ଯିବା ରାସ୍ତାରେ…

ବିଧାୟକ ମେହେରଙ୍କର ଉଦ୍ଦେଶ୍ୟ ମହତ । କିନ୍ତୁ ଦଳର ମୁଖିଆଙ୍କୁ ଗୁରୁ ନମାନି ମୁଖିଆଙ୍କ ବାପାଙ୍କ ଆଦର୍ଶକୁ ନିଜ କାର୍ଯ୍ୟରେ ଲଗାଇଲେ । ନବେ ଦଶକରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ରାସ୍ତାକୁ ଆଣିବା ପାଇଁ ବିଜୁ ବାବୁ ଡାକରା ଦେଲେ, “ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଧରିକି ପିଟ ।” ବୋଧହୁଏ ମେହେର ବିଜୁ ବାବୁଙ୍କ ଆଦର୍ଶରେ ଟିକିଏ ଅଧିକ ଉଦବୁଦ୍ଧ ହୋଇଗଲେ ଆଉ ବିଧାୟକ ହେଉ ହେଉ ଦୁର୍ନୀତି ଅଭିଯୋଗରେ ଜେଇ ବାବୁଙ୍କ ବିରୋଧରେ ବିଜୁ ବାବୁଙ୍କ ସୂତ୍ରକୁ ବ୍ୟବହାର କଲେ ।

ବିଚରା ବିଧାୟକ ଜାଣି ନଥିଲେ ଦୀର୍ଘ ୨୨ବର୍ଷ ହେଲା ବିଜୁ ବାବୁ ସ୍ୱର୍ଗରେ । ତାଙ୍କ ସହ ତାଙ୍କ ସୂତ୍ର ବି ଯାଇଛି । ନବୀନ ବାବୁଙ୍କୁ ଏ ଚିହ୍ନିବା ଭୁଲ କଲେ । ନବୀନ ବାବୁଙ୍କ ପାଇଁ ଅଧିକାରୀମାନେ ହେଉଛନ୍ତି ସର୍ବସ୍ୱ । ସରକାରୀ ବାବୁଙ୍କ ଦେହରେ ହାତ ମାରିଲେ, ମାମୁଁଙ୍କ ଛଡା ଆଉ କେହି ପିଠିରେ ପଡିବେ ନାହିଁ । ଏବେ ମେହେରଙ୍କ ଅବସ୍ଥା ସେଇଆ ହୋଇଛି । ସମସ୍ତେ ଭାବୁଥିଲେ ମେହେର ବାବୁ ଦୁଃଖ ପ୍ରକାଶ କରିବା ପରେ ଆଉ ସ୍ପଷ୍ଟୀକରଣ ରଖିବା ପରେ ମାମଲା ରଫାଦଫା ହୋଇଯିବ । କିନ୍ତୁ ସେପରି ହେଲା ନାହିଁ । ବିଧାୟକଙ୍କ ବିରୋଧରେ ଗଣ୍ଡାଏ ସଂଗୀନ ଦଫା । ତା ସାଂଗକୁ ଏବେ ପୁଲିସ ଜେରା । ଏବେ ସରୋଜ ବୁଝି ସାରିଥିବେ, ନବୀନଙ୍କ ଶାସନରେ ବାବୁଙ୍କ ବ୍ୟାପାରରେ ଟିକିଏ ବେଲାଇନ ହେଲେ ବିଜୁ ବାବୁ ବି ସାହା ହେବେ ନାହିଁ ।

ରାତି ପାହିଲେ ବିଧାନସଭା । ସବୁ ନୂଆ ବିଧାୟକଙ୍କ ମନରେ ଅନେକ ଯୋଜନା । ସରୋଜ ଭାବିଥିଲେ କନକବର୍ଦ୍ଧନଙ୍କୁ ହରାଇବାର ପୁରସ୍କାର ସ୍ୱରୁପ ମିଳିବ ହିରୋର ସ୍ୱାଗତ । କିନ୍ତୁ ହାୟରେ ଭାଗ୍ୟ, ନବୀନଙ୍କୁ ଛାଡି ବିଜୁଙ୍କ ବିଚାର ପାଇଁ ଏବେ ବିପଦରେ ବିଧାୟକ ।

Related Posts