ରାସ୍ତାକାମ ଖରାପ ବୋଲି ବସଉଠ ହେଲେ ସରକାରୀ ବାବୁ

ସତ୍ୟପାଠ ବ୍ୟୁରୋ : ପିସି ଖାଇ ରାସ୍ତା କାମ ଏକଦମ୍ ନିମ୍ନ ମାନର ତିଆରି ହୋଇଥିଲା । ଗଇଁତି ତ ଦୂରର କଥା ହାତରେ ତାଡିଦେଲେ ବି ପିଚୁ ଉଠି ତଳୁ ମାଟି ଦିଶୁଥିଲା । ଯେତେବେଳେ ଏହି କଥା ବିଧାୟକଙ୍କ କାନରେ ପଡିଲା ସେ ସିଧା ଚାଲିଲେ ସ୍ପଟ୍ ଭେରି ଫିକେସନରେ । ଆଳୁ ଖୋଳୁ ଖୋଳୁ ମହାଦେବ ଫୁଟି ଦିଶିବା ଭଳି ରାସ୍ତା କାମ ନିମ୍ନ ମାନର ହେବା ପଛରେ ପିସି କାରବାର ଜୋରସୋର ବୋଲି ଲୋକେ କହିଛନ୍ତି ।

ବୁଧବାର ବଲାଙ୍ଗୀର ପାଟଣାଗଡ ବ୍ଲକ ବେଲପଡା ଗସ୍ତରେ ଯାଇଥିଲେ ନବ ନିର୍ବାଚିତ ବିଧାୟକ ସରୋଜ ମେହେର । ସାଙ୍ଗରେ ଯାଇଥିବା ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବର ବିଧାୟକଙ୍କୁ ବିଭିନ୍ନ ରାସ୍ତା ବୁଲାଇ ଦେଖାଉଥିଲେ । ତେବେ ମଣ୍ଡଲ ଠାରୁ ବେଲପଡା ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ବାଇପାସ୍ ରାସ୍ତା ଏକଦମ୍ ନିମ୍ନ ମାନର ବୋଲି ଅଭିଯୋଗ କରିଥିଲେ ଲୋକେ । ସତ୍ୟତା ପ୍ରମାଣ କରିବାକୁ ଘଟଣାସ୍ଥଳରେ ପହଂଚିଥିଲେ ବିଧାୟକ । ଗଇଁତିରେ ପିଚୁ ଉଠାଇ ଦେଖାଗଲା ସରକାରୀ ନିୟମ ମୁତାବକ ନା ବାଲି, ବଜୁରୀ କି ଗୋଡି ଦିଆଯାଇଛି ନା ପିଚୁର ଭାଗ ଠିକ୍ ଅଛି । କେଉଁଠି କେଉଁଠି ହାତରେ ଉଠାଇଦେଲେ ତ ପିଚୁ ଉଠି ଯାଉଥିଲା ।

ଖରାପ ଠାରୁ ବି ଆହୁରି ଖରାପ କାମ ଦେଖି ରାଗରେ ନିଆଁ ହୋଇଯାଇଥିଲେ ବିଧାୟକ । ତୁରନ୍ତ ଏନେଇ ଦଣ୍ଡ ବି ଶୁଣାଇଥିଲେ । ୱାର୍କ ଅର୍ଡରରେ ତୁରନ୍ତ ଶଂସୋଧନ କରିବାକୂ ନିର୍ଦ୍ଦେଶ ଦେବା ସହ ୫ମିନିଟରେ ୧୦୦ଥର ବସଉଠି ହେବାକୁ ସହକାରୀ ଯନ୍ତ୍ରୀଙ୍କୁ ଆଦେଶ ଦେଇଥିଲେ ବିଧାୟକ ସରୋଜ ମେହେର ।

ହୁଏତ ଏହାକୁ କେହି କେହି ବିଧାୟକଙ୍କ ରୋବାବ୍ ବା ଦବଙ୍ଗଗିରି କହୁଛନ୍ତି । କହିବା ବି ସ୍ୱାଭାବିକ । ଆଇନ ଛଡା କାହାକୁ ଦଣ୍ଡ ଦେବାର ଅଧିକାର ହୁଏତ କାହାର ନାହିଁ । ଆମେ ବି ବିଧାୟକଙ୍କର ଏ କାର୍ଯ୍ୟକୁ ସମର୍ଥନ କରୁନାହୁଁ କିନ୍ତୁ ଲୋକଙ୍କ ଟିକସ ଟଙ୍କାରେ ଲୋକଙ୍କ ପାଇଁ ତିଆରି ହେଉଥିବା ରାସ୍ତା ଯେତେବେଳେ ନିମ୍ନ ମାନର ହୁଏ ସେତେବେଳେ କଣ କରାଯାଇପାରେ ? ଲୋକଙ୍କ ପାଇଁ ରାସ୍ତା କରିବାକୁ ସରକାର ପଠାଇଥିବା ଟଙ୍କାରୁ ପିସି ଖାଇ ରାସ୍ତାକାମ ଖରାପ କଲେ ପାଦରକ୍ତ ମୁଣ୍ଡକୁ ଚଢ଼ିବା ସ୍ୱାଭାବିକ । ସରଳ, ନିରୀହ ଆଦିବାସୀଙ୍କ ନାଁ ଟଙ୍କା ହଡପ ଯିଏ ବି କରୁ ବୋଧହୁଏ ସରକାରୀ ବାବୁଙ୍କ ଏ କାନଧରି ବସଉଠ ହେବା ତା ପାଇଁ ଏକ ସତର୍କ ବାଣୀ ହେବ । ଆମ୍ ଆଦମୀର ଟଙ୍କା ଖାଇବାକୁ ଚିନ୍ତା କଲାବେଳେ ଅନ୍ତତଃ ମନେ ପଡିବ ଏମିତି ପେଟେଣ୍ଟ ମେଡିସିନ କଥା ।

Related Posts