ଭାଇରାଲ ଭିଡିଓର ସତ୍ୟତା ଥିବା କହିଛନ୍ତି ଜିଲ୍ଲାପାଳ

ସତ୍ୟପାଠ ବ୍ୟୁରୋ : କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସାଧାରଣରେ ଉଠବସ କରାଇଥିବା ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଅଡୁଆ ବଢ଼ିଛି । ଘଟଣାର ତଦନ୍ତ କରୁଥିବା ଉପଜିଲ୍ଲାପାଳ ଇତି ମଧ୍ୟରେ ତଦନ୍ତ ରିପୋର୍ଟ ଦେଇଛନ୍ତି ଜିଲ୍ଲାପାଳଙ୍କୁ । ଆଉ ଘଟଣାରେ ସତ୍ୟତା ଥିବା କହିଛନ୍ତି ଜିଲ୍ଲାପାଳ ଅରିନ୍ଦମ ଡାକୁଆ ।

ଜିଲ୍ଲାପାଳ କହିଛନ୍ତି ଭିଡିଓ ଓ ଘଟଣାର ସତ୍ୟତା ରହିଛି । ଘଟଣା ସହ ସଂପୃକ୍ତ ବିଧାୟକ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଘଟଣାକୁ ଏହା ଭିତରେ ୫ଦିନ ବିତିଗଲାଣି । ପାଟଣାଗଡ ଥାନାରେ କେସ୍ ନମ୍ବର ୧୧୩/୧୯ରେ ବିଧାୟକ ସରୋଜ ମେହେରଙ୍କ ନାମରେ ରୁଜୁ ହୋଇଛି ମାମଲା । ଭାରତୀୟ ଦଣ୍ଡବିଧି ଆଇନର ଦଫା ୩୪୧, ୩୬୩, ୨୯୪, ୩୨୩, ୩୫୩, ୩୫୫, ୫୦୦ ଭଳି ସଂଗୀନ ଦଫା ସହ ଦଳିତ ଓ ଆଦିବାସୀ ନିରୋଧୀ ଆଇନ ଲାଗିଛି ଏହି ମାମଲାରେ । ସରକାରୀ ଅଧିକାରୀଙ୍କୁ ଆକ୍ରମଣ, ଗାଳିଗୁଲଜ, ସର୍ବସାଧାରଣରେ ଅପମାନିତ କରିବା, ଅପହରଣ ଓ ଜାତିଆଣ ଆକ୍ଷେପ କରିବା ପାଇଁ ଦଫା ଲାଗିଛି ବିଧାୟକଙ୍କ ନାଁରେ ।

କିନ୍ତୁ ବିଧାୟକଙ୍କ ବିରୋଧରେ ସଂଗୀନ ଦଫା ଲଗାଇ ତଥାପି ଚୁପ ବସିଛି ପୁଲିସ । କାହିଁକି ଓ କାହା ଚାପରେ ପୁଲିସ ବିଧାୟକଙ୍କୁ ଗିରଫ କରୁନାହିଁ ତାହାକୁ ନେଇ ବିଭିନ୍ନ ମହଲରେ ଏବେ ପ୍ରଶ୍ନ ଉଙ୍କି ମାରିଛି ।

Related Posts