କିଏ ଖାଇଥିଲା ପିସି, କିଏ ହେଲା ଦୋଷୀ

ସତ୍ୟପାଠ ବୁରୋ : ପାଟଣାଗଡରେ ଏବେ ଆରମ୍ଭ ହେଲା ପାଲଟା ବସଉଠ । ଆଗେ ଜେଇ ଏବେ ବିଧାୟକ । ଏଫଆଇଆରର ଝଟକା ପରେ ସଫେଇ ଦେଇ କ୍ଷମା ମାଗିଛନ୍ତି ବାବୁଙ୍କୁ ବସଉଠ କରାଇଥିବା ବିଧାୟକ । ଲାଗୁଛି ଯେମିତି, ଜେଇ ବସଉଠ ହେବା ପରେ ଏବେ ଆଇନ ବିଧାୟକଙ୍କୁ ବସଉଠ କରାଇଦେବ ।

ବଲାଙ୍ଗୀର ପାଟଣାଗଡରେ କନିଷ୍ଠ ଯନ୍ତ୍ରୀଙ୍କୁ ବିଜେଡି ବିଧାୟକ ମାଡ ଘଟଣାରେ ନୂଆ ଟୁଇଷ୍ଟ । ଗୋଟିଏ ପଟେ ବିଧାୟକ ଏଥିପାଇଁ କ୍ଷମା ମାଗୁଥିବା ବେଳେ ଅନ୍ୟପଟେ ଜେଇଙ୍କ ପତ୍ନୀ ବିଧାୟକଙ୍କ ନାଁରେ ଏତଲା ଦେଇଛନ୍ତି । ଏହାରି ଭିତରେ ଆସିଛି ଉଠବସ ହୋଇଥିବା କନିଷ୍ଠ ଯନ୍ତ୍ରୀଙ୍କ ବୟାନ । ବିଧାୟକଙ୍କ ନିର୍ଦ୍ଦେଶରେ ନିର୍ବାହିଯନ୍ତ୍ରୀ ତାଙ୍କୁ ମାଡ ମାରିଥିବା ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ସଂପୃକ୍ତ ଜେଇ ।

ରାସ୍ତାକାମ ଖରାପ ବୋଲି ଲୋକେ ଅଭିଯୋଗ କଲେ । ପ୍ରମାଣ ବି ମିଳିଲା । ଦଣ୍ଡ ପାଇଥିବା ଜେଇ ଓ ନିର୍ବାହୀଯନ୍ତ୍ରୀଙ୍କ ସାମ୍ନାରେ କ୍ଷୀର କ୍ଷୀର ପାଣି ପାଣି କରିଦେଇଥିଲେ ବିଧାୟକ ଓ ସ୍ଥାନୀୟ ଲୋକେ । ଲୋକଙ୍କ ପ୍ରତିନିଧୀ ଭାବେ ଅବଶ୍ୟ ଟିକିଏ ଅଧିକ ଭାବପ୍ରବଣ ହୋଇ ଜଣେ ସରକାରୀ ଅଧିକାରୀଙ୍କୁ ଲୋକଙ୍କ ସାମ୍ନାରେ ପନିଶମେଂଟ ଦେବାକୁ ଭୁଲି ନଥିଲେ ବିଧାୟକ । ଯାହାକୁ ନେଇ ଏତେକଥା ହେଲା । ହେଲେ ସେ କାମର କଣ ହେଲା ? ରାସ୍ତା ପୁନଃ ନିର୍ମାଣ ହେବ ନା ସେ କାମର ବିଲ୍ ବାତିଲ ହେବ ? ରାସ୍ତା କାମ କରିଥିବା ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କି ନାହିଁ ? ଲୋକଙ୍କ ଅଭିଯୋଗ ପରେ ବି ବିଡିଓ ସେ କାମ ଦେଖିଥିଲେ କି ନାହିଁ ? କିଏ କିଏ ପିସି ଖାଇଥିଲେ ? କାହା ପାଇଁ ରାସ୍ତାକାମ ଖରାପ ହେଲା ? ଜେଇ ଏକୁଟିଆ ଦୋଷୀ ନା କାମକୁ ଶେଷ ସ୍ପର୍ଷ ଦେଉଥିବା ନିର୍ବାହିଯନ୍ତ୍ରୀ ବି ସମ ପରିମାଣର ଦୋଷୀ ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜିବା ଛାଡି ସମସ୍ତେ ବିଧାୟକ ଓ ଜେଇଙ୍କ ସେ ଉଠବସ ପାଲା କଥା ପଚାରୁଛନ୍ତି । ଲାଗୁଛି ଯେମିତି ମୂଳକୁ ଛାଡି ଆମେ ଡାଳକୁ ଧରିବାକୁ ଯାଉଛେ । ତେବେ ଏହାର ଉତ୍ତର କିଏ ଓ କେବେ ଦେଉଛି ଦେଖାଯାଉ…..

ଖାଲି ଉଠବସ ନୁହେଁ ମାଡ ଖାଇଛନ୍ତି ପାଟଣାଗଡ ବ୍ଲକ ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର । ବିଧାୟକ ସରୋଜ ମେହେରଙ୍କ ନିର୍ଦ୍ଦେଶରେ ନିର୍ବାହୀଯନ୍ତ୍ରୀ ତାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି ଜୟକାନ୍ତ । ଲୋକଙ୍କ ଆକ୍ରୋଶ ଓ ବିଧାୟକଙ୍କ ରାଗରୁ ବର୍ତ୍ତିବା ପାଇଁ ସେ ଉଠବସ ହୋଇଥିବା କଥା କହିଛନ୍ତି ଗଣମାଧ୍ୟମକୁ । ତେବେ ବିଧାୟକ ଓ ତାଙ୍କ କର୍ମୀ ଜୟକାନ୍ତଙ୍କୁ ଘରୁ ଜୋରଜବରଦସ୍ତ ଡାକି ନେଇଥିବା ଅଭିଯୋଗ କରି ଥାନାରେ ସ୍ୱାମୀଙ୍କୁ ଅପହରଣ କରାଯାଇଥିବା ଏତଲା ଦେଇଛନ୍ତି । ଦୁଇଦିନ ପରେ ନିଖୋଜ ଜେଇଙ୍କୁ ଖରିଆରରୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛି ପୁଲିସ ।

ବୁଢ଼ୀଆଣି ସୂତାରେ ଛନ୍ଦି ହେବା ଭଳି ଲାଗୁଛି ଏ ପୁରା ଘଟଣା । ଲାଗୁଛି ଗୋଟିଏ ପଟେ କନିଷ୍ଠଯନ୍ତ୍ରୀ ଓ ତାଙ୍କ ପତ୍ନୀ ଆଉ ଅନ୍ୟପଟେ ବିଧାୟକ ଓ ନିର୍ବାହିଯନ୍ତ୍ରୀ । ପାୱାର ଓ ପୋଜିସନର ଜୋରଦାର ଲଢ଼େଇ । କିଏ ହାରିବ, କିଏ ଜିତିବ ତା ତ ପଛକଥା, କିନ୍ତୁ ଏସବୁ ଭିତରେ ସମସ୍ତେ ମୂଳକଥାରୁ ଦୁରେଇ ଯାଇଛନ୍ତି । ମାନେ ଯେଉଁଥିପାଇଁ ଏତେ ପାଲା ସେ କଥା କେହି ପଚାରୁ ନାହାଁନ୍ତି ।

 

Related Posts