ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ୧୨ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ପେଟ୍ରୋଲ ଓ ଡିଜେଲ ! ମାର୍ଚ୍ଚ ୧୦ ପରେ ବଢିବାକୁ ଯାଉଛି ପେଟ୍ରୋଲ ଏବଂ ଡିଜେଲ୍ ମୂଲ୍ୟ। ସେପଟେ ଉତ୍ତର ପ୍ରଦେଶ ସମେତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନା କାରଣରୁ ଦେଶରେ ଗତ ଚାରି ମାସ ହେବ ପେଟ୍ରୋଲ-ଡିଜେଲ୍ ଦର ବଢିନାହିଁ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରର ଦର ବୃତ୍ତି ସତ୍ତ୍ଵେ କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ପେଟ୍ରୋଲ-ଡିଜେଲ୍ ଦାମ ବଢାଇ ନାହାନ୍ତି। ହେଲେ ମାର୍ଚ୍ଚ ୧୦ ପରେ ନିର୍ବାଚନ ଫଳାଫଳ ପ୍ରକାଶ ପରେ ତେଲ ଦାମ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି। ଆଗାମୀ ୧୧ ଦିନରେ ପେଟ୍ରୋଲ ଏବଂ ଡିଜେଲ୍ ଦାମ ୧୨ ଟଙ୍କା ପର୍ୟ୍ୟନ୍ତ ବଢିପାରେ। ଏନେଇ ଆଇସିଆଇସିଆଇ ସିକ୍ୟୁରିଟିଜ୍ ଏକ ରିପୋର୍ଟରେ ଏହି ସୂଚନା ଦେଇଛି।
ସେପଟେ ଆଇସିଆଇସିଆଇର ସଦ୍ୟତମ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧୬ ସୁଦ୍ଧା ପେଟ୍ରୋଲ ଏବଂ ଡିଜେଲ୍ ଲିଟର ପିଛା ୧୨ ଟଙ୍କାରୁ ଅଧିକ ବଢିବାର ଆବଶ୍ୟକତା ରହିଛି। ତେଲ କମ୍ପାନୀଗୁଡିକର ମାର୍ଜିନକୁ ଯଦି ଯୋଡି ଦିଆଯାଏ ତେବେ ଲିଟର ପିଛା ୧୫.୧ ଟଙ୍କା ବଢିବାର ଦରକାର ବୋଲି କହୁଛନ୍ତି ତୈଳ ବିପଣନକାରୀ କମ୍ପାନୀ। କାରଣ ଗତ ଚାରି ମାସରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢି ଆଜି ବ୍ୟାରେଲ୍ ପିଛା ୧୧୦ ଡଲାରରେ ପହଞ୍ଚି ସାରିଛି। ସେପଟେ ଦେଶରେ ଚାରି ମାସ ହେବ ତେଲ ଦାମ ସ୍ଥିର ଥିବାରୁ ତୈଳ ବିପଣନକାରୀ କମ୍ପାନୀକୁ ଏହାର କ୍ଷତି ସହିବାକୁ ପଡୁଛି। ତେଣୁ ଦର ପେଟ୍ରୋଲ ଦର ମହଙ୍ଗା ହୋଇପାରେ ବୋଲି ଅନୁମାନ କରାଯାଉଛି ।
