ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଦର ଶସ୍ତା ହେବ ନାହିଁ , ଦର ହ୍ରାସ ନପାଇବାର କାରଣ କହିଲେ ଅର୍ଥମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପେଟ୍ରୋଲ ଏବଂ ଡିଜେଲ ଦର ଏବେ ଆକାଶଛୁଆଁ । ଡିଜେଲ ଦର ବୃଦ୍ଧି ଯୋଗୁଁ ପରିବହନ ମୂଲ୍ୟରେ ବୃଦ୍ଧି ଘଟୁଛି ଫଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ଘଟୁଛି। ଏଭଳି ପରିସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ କରିବାକୁ ଦାବି ଉଠୁଛି। ଏହା ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ନହେବାର କାରଣ କହିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କହିଛନ୍ତି ଯେ ବର୍ତ୍ତମାନ ପାଇଁ ତେଲ ଉପରୁ ଉତ୍ପାଦ ଶୁଳକ ହ୍ରାସ କରିବାର କୌଣସି ଯୋଜନା ନାହିଁ । 

ତୈଳ ଦର ବୃଦ୍ଧି ପାଇଁ ସେ ୟୁପିଏ ସରକାରଙ୍କୁ ଦାୟୀ କରିଛନ୍ତି। କାରଣ ପୂର୍ବର ୟୁପିଏ ସରକାର ଜାରି କରିଥିବା ତୈଳ ବଣ୍ଡ୍ ଯୋଗୁଁ ଏବେ ସୁଧ ପରିଶୋଧ କରିବାକୁ ପଡ଼ୁଛି । କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ତେଲଦର କମାଇବାକୁ ୟୁପିଏ ସରକାର ୧ ଲକ୍ଷ ୪୪ ହଜାର କୋଟିର ତୈଳ ବଣ୍ଡ୍ ଜାରି କରିଥିଲେ । ଏଥିପାଇଁ ଏବେ ସୁଧ ଦେବାକୁ ପଡ଼ୁଛି । ତୈଳଦର ହ୍ରାସ କରିବା ପାଇଁ ମୋଦୀ ସରକାର ୟୁପିଏ ସରକାର ବ୍ୟବହାର କରୁଥିବା ଭୁଲ ପଦ୍ଧତି ଆପଣେଇବେ ନାହିଁ। 

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ୟୁପିଏ ସରକାର ସମୟର ତୈଳ ବଣ୍ଡ୍ ର ଭାର ମୋଦୀ ସରକାରଙ୍କ ଉପରେ ପଡିଛି।  ସେଥିପାଇଁ ଆମେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାରେ ସକ୍ଷମ ନୁହଁ।ସେ କହିଛନ୍ତି ଯେ, ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକେ ଚିନ୍ତିତ ହେବା ସ୍ବାଭାବିକ ।  କିନ୍ତୁ ଯଦି କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏକାଠି ବସି ଆଲୋଚନା ନ କରନ୍ତି ତେବେ ଏହାର କୌଣସି ସମାଧାନ ବାହାରିବ ନାହିଁ ।

ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଗତ ପାଞ୍ଚ ବର୍ଷ ମଧ୍ୟରେ କେବଳ ତୈଳ ବଣ୍ଡ୍ ଉପରେ ୭୦୧୯୫.୭୨ କୋଟି ଟଙ୍କା ସୁଧ ପ୍ରଦାନ କରିଛନ୍ତି। ୨୦୨୬ ବର୍ଷ ସୁଦ୍ଧା, ଆମକୁ ୩୭ ହଜାର କୋଟି ଟଙ୍କା ଦେବାକୁ ପଡିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ସୁଧ ଦେବା ପରେ ମଧ୍ୟ ମୂଳ ଧନର ୧.୩୦ ଲକ୍ଷ କୋଟିରୁ ଅଧିକ ଅଟେ।  

Related Posts