ଏନଆଇଏର ଚଢଉ ପ୍ରତିବାଦରେ ଆରଏସଏସ ଅଫିସ ଉପରକୁ ପେଟ୍ରୋଲ ବୋମା ଫିଙ୍ଗିଲେ ପିଏଫଆଇ କର୍ମୀ

କୋଚି : ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଉପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଚଢଉ ପ୍ରତିବାଦକୁ ନେଇ ଆଜି କେରଳରେ ଦିନିକିଆ ବନ୍ଦ ଡାକରା ଦିଆଯାଇଛି । ଏହି ଅବସରରେ କନ୍ନୁରର ମଟନ୍ନୁରଠାରେ ଥିବା ଏକ ଆରଏସଏସ (ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ) ଅଫିସ ଉପରକୁ ପିଏଫଆଇ କର୍ମୀମାନେ ପେଟ୍ରୋଲ ବୋମା ଫିଙ୍ଗିଛନ୍ତି । ଏହା ଫଳରେ ଅଫିସର ସାମନା ପଟ ଦ୍ବାର କ୍ଷତିଗ୍ରସ୍ତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇ ନଥିବା ସ୍ଥାନୀୟ ପୁଲିସ କହିଛି । ଦୁଇଜଣ ବିକ୍ଷୋଭକାରୀ ଏକ ବାଇକରେ ଆସି ପେଟ୍ରୋଲ ବୋମା ଫିଙ୍ଗି ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ ପୟାନ୍ନୁରଠାରେ ପିଏଫଆଇ କର୍ମୀମାନେ ସ୍ଥାନୀୟ ଦୋକାନଗୁଡ଼ିକୁ ଜବରଦସ୍ତି ବନ୍ଦ କରୁଥିବାବେଳେ ଦୋକାନୀ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ପ୍ରବଳ ମାଡ଼ ଦେଇଥିଲେ । ଏହା ଫଳରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସେହିପରି କେରଳର କୋଲ୍ଲାମ ଜିଲ୍ଲାର ପାଲିମୁକ୍କୁଠାରେ ଦୁଇଜଣ ବାଇକ ସବାର ପିଏଫଆଇ କର୍ମୀ ପୁଲିସ ଉପରକୁ ଆକ୍ରମଣ କରିଛନ୍ତି । କେତେକ ମୁସଲିମ ବହୁଳ ଅଂଚଳରେ ସେମାନେ ସାଧାରଣ ଲୋକମାନଙ୍କ ଉପରେ ବି ଆକ୍ରମଣ କରିଛନ୍ତି । କେରଳର ତିରୁଅନନ୍ତପୁରମ୍ ଓ କୋଚିରେ ବି ପିଅଫଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଗୁରୁବାରଦିନ ଏନଆଇଏ ଏକା ସମୟରେ ୧୫ଟି ସ୍ଥାନରେ ଚଢଉ କରି ୧୦୬ ଜଣ ପିଏଫଆଇ ନେତାଙ୍କୁ ଗିରଫ କରିଥିଲା ।

Related Posts