କାନାଡାରେ ଭାରତ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କଲେ ସରକାର: ନାଗରିକ ଏବଂ ଛାତ୍ରମାନଙ୍କୁ ସତର୍କ ରହିବା ନେଇ ଏମଇଏ ପକ୍ଷରୁ ପରାମର୍ଶ ଜାରି

ନୂଆଦିଲ୍ଲୀ: କାନାଡାରେ ଅପରାଧ ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଯାହାକୁ ନେଇ ଭାରତ ସରକାର ଚିନ୍ତା ପ୍ରକାଶ କରିଛନ୍ତି । ଏ ପରିପ୍ରେକ୍ଷୀରେ କାନାଡାରେ ରହୁଥିବା ଭାରତୀୟ ନାଗରିକ ଏବଂ ପଢ଼ୁଥିବା ଛାତ୍ରମାନଙ୍କୁ ସତର୍କ ରହିବାକୁ ଭାରତ ସରକାରଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ (ଏମଇଏ) ଶୁକ୍ରବାର ଦିନ ଏକ ପରାମର୍ଶ ଜାରି କରିଛି।

ଏକ ବିବୃତ୍ତିରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ (ଏମଇଏ) କହିଛି ଯେ କାନାଡାରେ ଭାରତୀୟ ମିଶନ କାନାଡା କର୍ତ୍ତୃପକ୍ଷଙ୍କ ସହ ଏହି ଘଟଣାଗୁଡ଼ିକ ସଂପର୍କରେ ଆଲୋଚନା କରିଛି ଏବଂ ଭାରତୀୟମାନଙ୍କ ଉପରେ ଘଟିଥିବା ଅପରାଧର ତଦନ୍ତ କରିବାକୁ ଅନୁରୋଧ କରିଛି।

କାନାଡାରେ ଘୃଣା ଅପରାଧ, ସାମ୍ପ୍ରଦାୟିକ ହିଂସା ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପ ଘଟଣାରେ ତୀବ୍ର ବୃଦ୍ଧି ଘଟିଛି ବୋଲି କହିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏବଂ କାନାଡାରେ ଅବସ୍ଥାପିତ ଭାରତୀୟ ଉଚ୍ଚଆୟୋଗ/କନସୁଲେଟ୍‌ ଜେନେରାଲ୍‌ ଏହି ଘଟଣାଗୁଡ଼ିକୁ କାନାଡା କର୍ତ୍ତୃପକ୍ଷଙ୍କ ସହ ଗ୍ରହଣ କରିଛନ୍ତି ଏବଂ ଉକ୍ତ ଅପରାଧର ଅନୁସନ୍ଧାନ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ବୋଲି ଏମଇଏ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି। ଏଥିସହ ଏହିସବୁ ଅପରାଧରେ ସଂପୃକ୍ତ ଥିବା ଅପରାଧୀମାନଙ୍କ ବିରୋଧରେ କାନାଡାରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା କହିଛି।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅନୁଯାୟୀ ଅପରାଧର ମାତ୍ରା ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି କାନାଡାରେ ଭାରତର ଭାରତୀୟ ନାଗରିକ ଏବଂ ଛାତ୍ର ଏବଂ ଭ୍ରମଣ/ଶିକ୍ଷା ପାଇଁ ଆଗକୁ କାନାଡା ଯିବାକୁ ଥିବା ଭାରତୀୟ ମାନଙ୍କୁ ଉପଯୁକ୍ତ ସତର୍କତା ଅବଲମ୍ବନ କରିବାକୁ ଏବଂ ସଜାଗ ରହିବାକୁ ପରାମର୍ଶ ଦିଆଯାଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ (ଏମଇଏ) ପକ୍ଷରୁ ଏହି ‘ଆଡଭାଇଜରି’ ଜାରି କରାଯାଇଛି।

Related Posts