୨୦୨୨-୨୩ ଶିକ୍ଷା ବର୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ





ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ୨୦୨୨-୨୩ ଶିକ୍ଷା ବର୍ଷରୁ ପିଜି ପାଠ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ଆବଶ୍ୟକ ଅନୁମତି ମିଳିଛିି। ପ୍ରଥମ ପର୍ଯ୍ୟାୟରେ ଜେନେରାଲ ସର୍ଜରୀ ବିଭାଗରେ ୫ଟି ପିଜି ସିଟରେ ନାମ ଲେଖାଇବାକୁ ଜାତୀୟ ମେଡିକାଲ କମିଶନଙ୍କ ମେଡିକାଲ ଆସେସମେଂଟ ଆଣ୍ଡ ରେଟିଂ ବୋର୍ଡ(ଏମଏଆରବି) ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ।ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲକୁ ‘ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ’ (ପିଜିଆଇଏମଇଆର) ଭାବେ ବିକଶିତ କରି ୨୦୨୨-୨୩ ଶିକ୍ଷା ବର୍ଷରୁ ୧୫ଟି ବିଭାଗର ପିଜି ପାଠ୍ୟକ୍ରମ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନେଇଥିଲେ ।

ଜାତୀୟ ମେଡିକାଲ କମିଶନଙ୍କ ଏମଏଆରବି( ପିଜି ବିଭାଗ) ଦ୍ୱାରା ଆଜି କ୍ୟାପିଟାଲ ହସ୍ପିଟାଲସ୍ଥିତ ପିଜିଏମଇଆର ପ୍ରିନ୍ସିପାଲଙ୍କୁ ଚିଠି ଲେଖାଯାଇ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଭୁବନେଶ୍ୱରସ୍ଥିତ ଏହି ପିଜିଏମଇଆରରେ ୨୦୨୨-୨୩ ଶିକ୍ଷା ବର୍ଷରୁ ଜେନେରାଲ ସର୍ଜରୀ ବିଭାଗରେ ୫ଟି ସିଟରେ ପାଠପଢ଼ା ଆରମ୍ଭ ନିମନ୍ତେ ଅନୁମତି ଦିଆଯାଇଛି । ଏଥିପାଇଁ ଏମଏଆରବି ଦ୍ୱାରା ଜୁଲାଇ ୧୩ତାରିଖରେ କ୍ୟାପିଟାଲ ହସ୍ପିଟାଲର ଏହି ପିଜିଏମଇଆରରେ ପଢ଼ାଇବାକୁ ଥିବା ଅଧ୍ୟାପକ,ସେମାନଙ୍କର ଅଭିଜ୍ଞତା ଓ ଅନ୍ୟାନ୍ୟ ଶିକ୍ଷଣୀୟ ସୁବିଧସୁଯୋଗ ଓ ଭିତ୍ତିଭୂମିର ଅନୁଧ୍ୟାନ କରାଯାଇଥିଲା । ଜାତୀୟ ମେଡିକାଲ କମିଶନଙ୍କ ପ୍ରାବଧାନ ମୁତାବକ ପିଜିଆଇଏମଇଆର କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ଭିତ୍ତିଭୂମି ସହ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, କୋଠା, ଉପକରଣ ଓ ହସ୍ପିଟାଲ ସୁବିଧା ଏହି ସିଟରେ ପଢ଼ିବାକୁ ଥିବା ପିଲାମାନଙ୍କ ନିମନ୍ତେ ଉପଲବ୍ଧ କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲସ୍ଥିତ ପିଜିଆଇଏମଇଆରରେ ୧୫ଟି ବିଭାଗରେ ପାଠ୍ୟକ୍ରମ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ସେଥିରୁ ମେଡିସିନ, ଜେନେରାଲ ସର୍ଜରୀ, ପ୍ରସୂତୀ ଓ ଶିଶୁ ବିଭାଗରେ ୫ଟି ଲେଖାଏଁ ପିଜି ସିଟ୍ ଏବଂ ଅନ୍ୟ ୧୧ଟି ବିଭାଗରେ ୩ଟି ଲେଖାଏଁ ପିଜି ସିଟ୍ ଖୋଲିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି । ଏଥିପାଇଁ ୧୨୦ଜଣ ଶିକ୍ଷକ ଓ ୫୦ଜଣ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ନିମନ୍ତେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇସାରିଛି । କ୍ୟାପିଟାଲ ହସ୍ପିଟାଲ କୁ ପିଜି ପାଠ୍ୟକ୍ରମ ସୁବିଧା ଥିବା ଶିକ୍ଷାନୁଷ୍ଠାନରେ ବିକଶିତ କରିବା ନିମନ୍ତେ ରାଜ୍ୟ ସରକାର ୨୦୧୩ ମସିହାରେ ନୀତିଗତ ନିଷ୍ପତ୍ତି ନେଇଥିଲେ ।

Related Posts