ଓଡିଶାରେ ସୃଷ୍ଟି ହେବ ଔଷଧ ଶିଳ୍ପ : କେନ୍ଦ୍ରର ସରକାରଙ୍କ ପ୍ରସ୍ତାବ

କରୋନା ମହାମାରୀ ସମୟରେ ଓଡିଶାରେ ଔଷଧ ଶିଳ୍ପ ପ୍ରତିଷ୍ଠା ପାଇଁ ସୁଯୋଗ ସୃଷ୍ଟି ହୋଇଛି । ରାଜ୍ୟରେ ଔଷଧ ଶିଳ୍ପ ପାର୍କ ଓ ମେଡିକାଲ ଯନ୍ତ୍ରାଂଶ ପାର୍କ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି ।

ଓଡିଶା ପୁଞ୍ଜିନିବେଶର ଅନ୍ୟତମ ପ୍ରକୃଷ୍ଟ ସ୍ଥାନ ହୋଇଥିବା ଏବଂ ଏଠାରେ ମେକ୍‍ ଇନ୍‍ ଇଣ୍ଡିଆର ପ୍ରୋତ୍ସାହନ ଲାଗି ବ୍ୟାପକ ସୁଯୋଗ ରହିଥିବାରୁ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏଭଳି ପ୍ରସ୍ତାବ ଦିଆଯାଇଛି । ଏହି ବହୁ ପ୍ରତୀକ୍ଷିତ ଔଷଧ ପ୍ରକଳ୍ପ ଲାଗି ସମନ୍ୱୟ ରକ୍ଷା କରୁଥିବା ଫର୍ମାସ୍ୟୁଟିକାଲ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି ।

କେନ୍ଦ୍ର ସରକାର ଦେଶରେ ୩ଟି ଔଷଧ ପାର୍କ ଓ ୪ଟି ମେଡିକାଲ ଯନ୍ତ୍ରାଂଶ ପାର୍କ ପ୍ରତିଷ୍ଠା ଲାଗି ଯୋଜନା କରିଛନ୍ତି । ଏଥି ପାଇଁ ରାଜ୍ୟ ଗୁଡିକୁ ୧୦୦୦ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯିବ ଯେଉଁଥିରେ ଔଷଧ ପାର୍କ ପ୍ରତିଷ୍ଠା ହେବ । ତିନିଟି ରାଜ୍ୟକୁ ଔଷଧ ପାର୍କ ପ୍ରତିଷ୍ଠା ଲାଗି ଏହି ଅର୍ଥ ଦିଆଯିବ । ସେହିଭଳି ମେଡିକାଲ ଯନ୍ତ୍ରାଂଶ ପାର୍କ ପ୍ରତିଷ୍ଠା ଲାଗି ରାଜ୍ୟ ଗୁଡିକକୁ ୧୦୦ କୋଟି ଟଙ୍କା କରି ଯୋଗାଯିବ ଯେଉଁଥିରେ ୪ଟି ମେଡିକାଲ ଯନ୍ତ୍ରାଂଶ ପାର୍କ ପ୍ରତିଷ୍ଠା ହୋଇପାରିବ ।

ଓଡିଶା ସରକାର ସବୁବେଳେ ପୁଞ୍ଜିନିବେଶକୁ ପ୍ରାଥମିକତା ଦେଉଥିବାବେଳେ ସହଜ ବ୍ୟବସାୟିକ ନୀତି କାର୍ଯ୍ୟକାରୀ କରୁଛନ୍ତି । ଯାହା ଫଳରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରାଯାଇ ପାରୁଛି । ଏକକ ବାତାୟନ (ସିଙ୍ଗଲ ୱିଣ୍ଡୋ) ବ୍ୟବସ୍ଥା ନିବେଶକାରୀମାନଙ୍କୁ ପୁଞ୍ଜିନିବେଶ କ୍ଷେତ୍ରରେ ବେଶ୍‍ ସହାୟକ ହୋଇପାରୁଛି ।

କେନ୍ଦ୍ର ସରକାରଙ୍କର ଏଭଳି ପାର୍କ ପ୍ରତିଷ୍ଠା ଯୋଜନାରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଶିଳ୍ପ ପ୍ରତିଷ୍ଠାର ଲକ୍ଷ୍ୟ ରହିଛି ଯେଉଁଠାରେ ଅଳ୍ପ ଖର୍ଚ୍ଚରେ ଉନ୍ନତମାନର ସାମଗ୍ରୀ ଉତ୍ପାଦନ ହୋଇପାରିବ । ଏଥିପାଇଁ ଆବଶ୍ୟକ ପଡୁଥିବା ବିଭିନ୍ନ ଭିତ୍ତିଭୂମି ଯଥା ପରୀକ୍ଷାଗାର ଏବଂ ଗୋଟିଏ ସ୍ଥାନରେ ଅନ୍ୟାନ୍ୟ ସୁବିଧା ଆଦି ରାଜ୍ୟ ସରକାର ଯୋଗାଇଦେବେ । ଆଗ୍ରହୀ ରାଜ୍ୟ ଗୁଡିକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ସହିତ ଫର୍ମାସିଟ୍ୟୁକାଲ ବିଭାଗ ନିକଟରେ ପାର୍କ ପ୍ରତିଷ୍ଠା ଲାଗି ଆବେଦନ କରିବାକୁ କୁହାଯାଇଛି ।

Related Posts