ଅଳିଆ ଠେଲାଗାଡିରୁ ମିଳିଲା ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଫଟୋ: ଚାଲିଗଲା ସଫେଇ କର୍ମଚାରୀର ଚାକିରି

ନୂଆଦିଲ୍ଲୀ: ମଥୁରା-ବୃନ୍ଦାବନ ନଗର ନିଗମ ଇଲାକାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଜଣେ ଭୁଲ କଲା ଆଉ ଜଣେ ଦଣ୍ଡ ପାଇଲା ଭଳି ଜଣେ ନିରୀହ ସଫେଇ କର୍ମଚାରୀ ରେ ଚାକିରୀ ପଳେଇଛି ।

ସୂଚନାଯୋଗ୍ୟ, ଅଳିଆ ଗୋଟାଇ ନେଉଥିବା ଠେଲାଗାଡିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ମିଳିବା ପରେ ସଫେଇ କର୍ମଚାରୀଙ୍କୁ ଚାକିରିରୁ ବହଷ୍କାର କରିଦିଆଯାଇଛି ।

ସଫେଇ କର୍ମଚାରୀଙ୍କ କହିବା ମୁତାବକ, ତାଙ୍କ ଅଳିଆ ଗାଡିକୁ ଏହି ଦୁଇ ନେତାଙ୍କ ଫଟୋ କେମିତି ଆସିଲା ତାଙ୍କୁ କିଛି ଜଣାନାହିଁ । କିନ୍ତୁ ସେ ଅଳିଆ ନେଇ ଯାଉଥିବାବେଳେ ସୁଭାଷ ଇଣ୍ଟର କଲେଜ ନିକଟରେ ଜଣେ ବ୍ୟକ୍ତି ତାଙ୍କୁ ଅଟକାଇଥିଲେ ଓ ତାଙ୍କ ଅଳିଆ ଗାଡିରୁ ଏହି ଦୁଇଜଣଙ୍କ ଫଟୋକୁ ବାହାର କରି ନେଇ ପାଖରେ ଥିବା ଟ୍ୟାପରେ ଧୋଇଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ନଗର ନିଗମ ଅଧିକାରୀଙ୍କ ମୁଣ୍ଡରେ ଚଡକ ପଡିଥିଲା । ଅଧିକାରୀ ଖସିଯାଇଥିଲେ ହେଲେ ବଳି ପଡିଯାଇଥିଲେ ସଫେଇ କର୍ମଚାରୀ ।

ତାଙ୍କର କିଛି ଦୋଷ ନାହିଁ । ଚାକିରୀ ଛଡେଇ ନେଇ ଜଣେ ଗରୀବର ପେଟକୁ ଲାତ ମାରିଛନ୍ତି ଅଧିକାରୀ, ତାଙ୍କ ପିଲାମାନଙ୍କ ପାଟିରୁ ଦାନା ଛଡେଇ ନେଇଥିବା ସଫେଇ କର୍ମଚାରୀ ଜଣକ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଗୁହାରୀ କରିଛନ୍ତି । ଏହି ଘଟଣାକୁ ନେଇ ବିରୋଧୀ ଦଳ ନଗର ନିଗମ କର୍ତ୍ତୃପକ୍ଷଙ୍କୁ କଡା ନିନ୍ଦା କରିବା ସହ ଯଥାଶୀଘ୍ର ଘଟଣାର ବିଚାର କରି ସଫେଇ କର୍ମଚାରୀଙ୍କୁ ତାଙ୍କ ଚାକିରୀ ଫେରାଇ ଦେବାକୁ ଦାବି କରିଛନ୍ତି ।

Related Posts