ରାଜସ୍ଥାନରେ ସରିଲା ସସ୍‌ପେନ୍ସ:ଗେହଲଟ୍‌ ସିଏମ୍‌, ପାଇଲଟ୍‌ ଡେପୁଟି

ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଅଶୋକ ଗେହଲଟ୍‌ । ତାଙ୍କୁ ସହୟତା କରିବେ ଯୁବ ନେତା ସଚିନ ପାଇଲଟ୍‌ । ଉପମୁଖ୍ୟମନ୍ତ୍ରୀ ପଦ ସହ ସଚିନ ପାଇଲଟ୍ ରାଜସ୍ଥାନ ପିସିସି ସଭାପତି ଭାବେ ବି କାମ କରିବେ ।

ମଧ୍ୟପ୍ରଦେଶ ପରେ ରାଜସ୍ଥାନରୁ ବି ସରିଲା ସସ୍‌ପେନ୍ସ । ୩ ଦିନର ଲଗାତର ବିଚାର ବିମର୍ଷ ପରେ କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟଙ୍କ ଉପରେ ଆସ୍ଥା ପ୍ରକଟ କଲେ କଂଗ୍ରେସ ହାଇକମାଣ୍ଡ । ଆସନ୍ତା ୧୭ ତାରିଖରେ ରାଜସ୍ଥାନରେ ନୂଆ ସରକାର ଶପଥ ନେବ ।

ରାଜ୍ୟରେ ନିର୍ବାଚନରେ ତ ବାଜି ମାରିଥିଲା କଂଗ୍ରେସ, ଦୁଇ ଦିନର ଟଣାଓଟରା ପରେ ସେମାନଙ୍କ ନେତାଙ୍କ ନାଁ ହିଁ ଘୋଷଣା ହେଲା ମୁଖ୍ୟମନ୍ତ୍ରୀ ଭାବେ । ମଧ୍ୟପ୍ରଦେଶ ପରି ରାଜସ୍ଥାନରେ ବି ଜାରି ରହିଥିଲା ମୁଖ୍ୟମନ୍ତ୍ରୀ ପଦ ନେଇ ଦୌଡ଼ାଦୌଡ଼ି । ଚର୍ଚ୍ଚା ଆଉ ଅନେକ କଳ୍ପନା ଜଳ୍ପନା ।

ଶେଷରେ ହଟିଲା ସସ୍‌ପେନ୍ସ । ୟଙ୍ଗ ମାଇଣ୍ଡ ଉପରେ ଭାରୀ ପଡ଼ିଲା ଅନୁଭୂତି । ଆଉ ୩ ଦିନର ଲଗାତର ବିଚାର ବିମର୍ଷ ପରେ ବରିଷ୍ଠ ନେତା ଅଶୋକ ଗେହଲଟଙ୍କ ଉପରେ ଆସ୍ଥା ପ୍ରକଟ କଲେ କଂଗ୍ରେସ ହାଇକମାଣ୍ଡ । ଆଉ ବାଜା ବାଣ ବଜାଇ ନାଚ ଗୀତ ଉତ୍ସବରେ ମାତିଲେ ଗେହଲଟ୍‌ଙ୍କ ସମର୍ଥକ ।

ଗେହଲଟ୍‌ ଆସନ୍ତା 17 ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ସହୟତା କରିବେ ଯୁବ ନେତା ସଚିନ ପାଇଲଟ୍‌ । ଉପମୁଖ୍ୟମନ୍ତ୍ରୀ ପଦ ସହ ସଚିନ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଦାୟିତ୍ବରେ ବି ରହିବେ ।

ଦିଲ୍ଲୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ସହ ବ୍ୟାପକ ଆଲୋଚନା ପରେ ରାଜସ୍ଥାନ ପାଇଁ ନିଯୁକ୍ତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବେଣୁଗୋପାଳ ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କଲେ । ୧୩ ତାରିଖରେ କଂଗ୍ରେସ ବିଧାୟକଙ୍କ ସହ ହୋଇଥିବା ଆଲୋଚନାର ଫିଡ୍ ବ୍ୟାକ୍ ପରେ ଉଭୟ ଗେହଲଟ ଓ ପାଇଲଟଙ୍କୁ ଦିଲ୍ଲୀ ଡକାଇ ଆଲୋଚନା କରିଥିଲେ ରାହୁଲ ଗାନ୍ଧି ।

Related Posts