ପାଇପ ମିସ୍ତ୍ରୀଟେ ମରିଗଲା, ଯଦି ଅଫିସରଟେ ମରିଥାନ୍ତା ?

ହଁ ମ ଶ୍ରମିକଟେ ମରିଗଲା । ଏଠି ଯବାନଟେ ସହୀଦ ହେଲେ ଆମେ ସମ୍ମାନ ବଦଳରେ ତଣ୍ଟିଆ ଦେଉଛୁ, ଶ୍ରମିକଟେ ମରିବାରେ ଏତେ ଦରଦ କାହିଁକି । ଏକଥା ସତ୍ୟପାଠ କହିବକୁ ଏଥିପାଇଁ ବାଧ୍ୟ ହେଉଛି, ରାଜଧାନୀର ଛାତି ଉପରେ ଜନସ୍ବାସ୍ଥ୍ୟ ବିଭାଗର ଚରମ ଅବହେଳା ପାଇଁ ଜଣେ ଶ୍ରମିକର ଜୀବନ ଯାଉଛି, ଏପଟେ ପ୍ରଶାସନ ସବୁ ଜାଣିଶୁଣି କିଛି ନଜାଣିବାର ଅଭିନୟ କରୁଛି । ଏଠି କେବଳ ଗୋଟିଏ ପରିବାରର ରୋଜଗାରିଆ ପୁଅର ମୃତ୍ୟୁ ହେଇନି, ବରଂ ପ୍ରଶାସନର ମାନବିକତାର ମୃତ୍ୟୁ ଘଟିଛି ।

ଗୋଟିଏ ପଟେ ମାନ୍ୟବାର ମୁଖ୍ୟମନ୍ତ୍ରୀ ସମଗ୍ର ରାଜ୍ୟକୁ ନିଜର ପରିବାର ବୋଲି କହୁଥିବାବେଳେ, ପରିବାର ର ଭଲମନ୍ଦ ବୁଝୁଥିବା ଜଣେ ଗରିବ ମେହେନତି ଶ୍ରମିକର ମୃତ୍ୟୁ ଘଟିଲା, ସେ ପୁଣି ଉପରିସ୍ଥ ସରକାରୀ ବାବୁଙ୍କ ଚରମ ଅବହେଳା କାରଣରୁ । ହେଲେ ଆହା ପଦେ କହିବା ପାଇଁ କେହି ଯେମିତି ନାହିଁ । ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ ଯେ କେବଳ ସଂଳାପ ମଧ୍ୟରେ ସୀମିତ ରହିଯାଇଛି, ତାହା ଶ୍ରମିକ ରୁଦ୍ର ଦୋରାର ମୃତ୍ୟୁରୁ ସ୍ପଷ୍ଟ ଦିଶୁଛି । ସମଗ୍ର ଘଟଣାରେ ଚୋରଙ୍କ ଭଳି ଲୁଚିଛପି ରୁଦ୍ରଙ୍କ ପରିବାର ପାଇଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିବା, ପରିସ୍ଥିତିକୁ ଅଧିକ ସନ୍ଦେହ ପୂର୍ଣ କରୁଛି । ବିଭାଗ ପକ୍ଷରୁ ଚରମ ଅବହେଳା ହୋଇଥିବା ବେଳେ ଠିକାଦାରଙ୍କ ସହାୟତାଅନୁକମ୍ପା କମ ଲାଞ୍ଚ ପ୍ରଦାନ ଅଧିକ ଜଣାପଡୁଛି ।

ବୁଧବାର ଭିଏସଏସ ନଗରରେ ପିଏଚଡି ମେନ ଲାଇନରେ କାମ କରୁଥିବାବେଳେ ଶ୍ରମିକ ରୁଦ୍ର ଦୋରାର ମୃତ୍ୟୁ ଘଟିଲା । ହେଲେ ସମଗ୍ର ଘଟଣାରେ ସରକାରୀ କଳ ଯେମିତି ଅନ୍ଧ, ମୁକ ଆଉ ବଧିରର ଅଭିନୟ କରୁଛି, ତାହା ସାଧାରଣରେ ଆକ୍ରୋଶ ଭାବ ସୃଷ୍ଟି କଲାଣି । ନିକଟ ଅତୀତରେ ରାଜଧାନୀରେ ଘଟିଥିବା ବିଭିନ୍ନ ଦୁର୍ଘଟଣାରେ ବାହ୍ୟ ଚାପ ହେଉ ଅଥବା ରାଜନୈତିକ ବାଧ୍ୟବାଧକତା ଅନେକ ସମୟରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ହେଲେ ରୁଦ୍ର ଦୋରାଙ୍କ ମୃତ୍ୟୁ ଘଟଣାରେ ଜନସ୍ବାସ୍ଥ୍ୟ ବିଭାଗ କଣ ପାଇଁ ଚୁପ ବସିଛି, ଆଉ ପ୍ରଶାସନ ଅସମ୍ଭବ ନୀରବତା ଅବଲମ୍ବନ କରୁଛି ତାହା ବୁଝିବା ବାହାରେ ।

ନିୟମାନୁଯାୟୀ କାର୍ଯ୍ୟକ୍ଷେତ୍ର ରେ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହିବା କଥା । ମାତ୍ର ଦୁର୍ଘଟଣା ଘଟିବା ସମୟରେ ଏବଂ ତା ପୂର୍ବରୁ ସେଠାରେ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ନଥିଲେ । ସେହିପରି କାର୍ଯ୍ୟସ୍ଥଳରେ ସୁରକ୍ଷା ସମ୍ପର୍କିତ କୌଣସି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇ ନଥିଲା । କାର୍ଯ୍ୟସ୍ଥଳରେ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ବେପରୁଆ ମନୋଭାବ ଗ୍ରହଣ କରାଯାଇଥିଲେ ମଧ୍ୟ ଏତେବଡ ଦୁର୍ଘଟଣା ପରେ ବିଭାଗ ନିଜ ମୁଣ୍ଡରୁ ଦୋଷ ଖସିନେବାରେ ବ୍ୟସ୍ତ । ରୁଦ୍ରଙ୍କ ମୃତ୍ୟୁକୁ 48 ଘଣ୍ଟା ବିତିଯାଇଥିଲେ ମଧ୍ୟ ଜନସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଯନ୍ତ୍ରୀ ଏ ବିଷୟରେ ବିଶେଷ ଅବଗତ ନଥିବା କହିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ତଲବ କରାଯାଇଛି, ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅତ୍ୟନ୍ତ ବେପରୁଆ ଢଙ୍ଗରେ ଉତ୍ତର ଦେଇଛନ୍ତି ।

ଏପଟେ ଠିକାଦାର ରୁଦ୍ରଙ୍କ ପରିବାର ଅନୁକମ୍ପା ନାମରେ ଲାଞ୍ଚ ଦେଇ ବିଭାଗରେ ବହୁ ଦିନରୁ ଚାଲିଆସିଥିବା ଦୋଷ ଦୁର୍ବଳତାକୁ ଢାଙ୍କି ପକେଇବାକୁ ଭରପୁର ଉଦ୍ୟମ ଆରମ୍ଭ କଲେଣି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କରିଛି ମୁଖ୍ୟମନ୍ତ୍ରୀ, ତାଙ୍କ ଅମାଲତନ୍ତ୍ର ସରକାରଙ୍କ ବଡବଡ଼ିଆ ବାବୁ ଆଉ ମନ୍ତ୍ରୀଙ୍କ ଅସମ୍ଭବ ନୀରବତା । ଛୋଟ ଛୋଟ ଘଟଣାରେ ନିଜର ଚେହେରା ଚମକେଇବାରେ କୌଣସି ମଉକା ହାତରୁ ଯିବାକୁ ଦେଉନଥିବା ମାନ୍ୟବର ମାନେ ଚୁପ କଣ ପାଇଁ, ତାହା ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ଭାବେ ଉଭା ହୋଇଛି । କାର୍ଯ୍ୟରତ ବେଳେ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ରେ ସରକାର ସାମାନ୍ୟତମ ଶାଳୀନତା ପ୍ରଦର୍ଶନ ନକରିବାକୁ ସହଜରେ ହଜମ କରିପାରୁନାହାନ୍ତି ରାଜଧାନିବାସୀ । ଏଠି ଶ୍ରମିକଟିଏର ମୃତ୍ୟୁ ହୋଇନି, ବରଂ ପ୍ରଶାସନର ମାନବିକତା ମରିଯାଇଛି ବୋଲି ସାଧାରଣ ଲୋକେ କହିବକୁ ବାଧ୍ୟ ହେଉଛନ୍ତି ।

Related Posts