ମହାମାରୀକୁ ଯୁଝିବା ପାଇଁ ସରକାରଙ୍କୁ ସହଯୋଗର ହାତ ବଢ଼ାଇଲା ବିଜେପି

nabin

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଓଡିଶାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଣାୟତ୍ତ ହେବାରେ ଲାଗିଛି । ଏପରିସ୍ଥଳେ କରୋନା ବିରୁଦ୍ଧରେ ଲଢେଇ କରିବା ପାଇଁ ରାଜ୍ୟସରକାରଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବ ବୋଲି ବିଜେପି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହା ସହ ସରକାରଙ୍କ ସହ ଲୋକଙ୍କ ସେବା କରିବା ପାଇଁ ବିଜେପି ଆଗେଇ ଆସିଛି । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବିକାଶ ଆୟୋଗର ପ୍ରଦିପ ଜେନା ଏକ ଭର୍ଚ୍ଚୁଆଲ ବୈଠକରେ ନିଷ୍ପତ୍ତି ନେଇଛନ୍ତି । ଏପରି ଏକ ମହାମାରୀ ସମୟରେ ବିଜେପି ରାଜ୍ୟସରକାରଙ୍କ ସହ ମିଶି ମହାମାରୀ ବିରୁଦ୍ଧରେ ଲଢିବ । ସମସ୍ତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଜେପି ପ୍ରତିଶୃତି ନେଇଛି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ଅନ୍ୟପଟେ ଅନେକ କରୋନା ସଂକ୍ରମିତ ଅକ୍ସିଜେନ ଏବଂ ବେଡ୍‌ର ଅଭାବ ପାଇଁ ହସ୍ପିଟାଲ ଗୁଡିକରେ ଭତ୍ତି ହୋଇପାରୁ ନାହାଁନ୍ତି । ଏପରିକି ରାଜ୍ୟର ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ମଧ୍ୟ ବେଡ୍ ଏବଂ ଅକ୍ସିଜେନର ଅଭାବ ଦେଖାଦେଉଛି । ଯାହାଫଳରେ ଗ୍ରାମାଞ୍ଚଳରେ ଥିବା ସଂକ୍ରମିତ ମାନେ ନାହିଁ ନଥିବେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ବେଡ୍‌, ଅକ୍ସିଜେନ ଓ ରୋଗୀର ସଠିକ ଚକିତ୍ସା ପାଇଁ CHC ସ୍ତରରେ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ବିଜେପି । ତେବେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୫୦୦୦ ବେଡ ବିଶିଷ୍ଟ ଅସ୍ଥାୟୀ ହସ୍ପିଟାଲ ତିଆରି କରିବା ପାଇଁ ରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି । ଜିଲ୍ଲା ଗୁଡିକରେ ଥିବା ପ୍ରମୁଖ ହସ୍ପିଟାଲ ଗୁଡିକରେ ଆଇସିୟୁ ସଂଖ୍ୟାକୁ ବୃଦ୍ଧି କରିବା ସହ ତାଲିମପ୍ରାପ୍ତ ଡାକ୍ତରଙ୍କୁ ନିଯୁକ୍ତ କରିବା ପାଇଁ କହିଛି । ଏହା ସହ ଚିକିତ୍ସାଳୟ ଗୁଡିକରେ ତାଲିମପ୍ରାପ୍ତ ଡାକ୍ତରଙ୍କ ସହ DHHSକୁ ଭେଣ୍ଟିଲେଟର ଯୋଗାଇବା ପାଇଁ ଅନୁରୋଧ କରିଛି । ଗ୍ରାମାଞ୍ଚଳରେ ଥିବା ଚିକିତ୍ସାଳୟ ଗୁଡିକରେ ଅବସ୍ଥା ନକହିଲେ ଭଲ । କେଉଁଠି ଡାକ୍ତର ନାହାଁନ୍ତି ତ ଆଉ କେଉଁଠାରେ ଚିକିତ୍ସାଳୟ ଜୀରାଜୀର୍ଣ୍ଣ ଅବସ୍ଥାରେ ପଡିଛି । ତେଣୁ ସମସ୍ତ ଲୋକଙ୍କ ଚିକିତ୍ସା ଯୋଗାଇବା ପାଇଁ ରାଜ୍ୟର ଗ୍ରାମାଞ୍ଚଳ ଗୁଡିକରେ ଥିବା ଚିକିତ୍ସାଳୟ ଗୁଡିକ ବିଜେପି ପରିଚାଳନା କରିବା ପାଇଁ ରାଜ୍ୟସରକାରଙ୍କୁ ନିବେଦନ କରିଛି । ଏପରି କରିବା ଦ୍ୱାରା ଗ୍ରାମାଞ୍ଚଳରେ ଥିବା ଲୋକମାନେ କରୋନା ଭାକ୍ସିନ ନେବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ମେଡିକାଲ ସୁବିଧା ପାଇ ପାରିବେ ।

Related Posts