ପ୍ରଧାନମନ୍ତ୍ରୀ ମୋଦୀ ଚୀନ ସହ “ତ୍ରିରଙ୍ଗା ଡିଲ” କରିଛନ୍ତି : ରାହୁଲ ଗାନ୍ଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶ ବର୍ତ୍ତମାନ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ସରକାରଙ୍କ ତରଫରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଅନ୍ତର୍ଗତ ଦେଶର ସମସ୍ତ ନାଗରିକ ନିଜ ଘରେ ତ୍ରିରଙ୍ଗା ପତାକା ଲଗାଇବେ। ତେବେ ଏଥିପାଇଁ ସରକାରଙ୍କ ତରଫରୁ ଡାକ ଘରେ ସୁଲଭ ମୂଲ୍ୟରେ ତ୍ରିରଙ୍ଗା ଉପଲବ୍ଧ ହେଉଛି। ତେବେ ଏହି ତ୍ରିରଙ୍ଗାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ରାହୁଲ ନିଜ ଅଭିଯୋଗରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଚୀନ ସହ “ତ୍ରିରଙ୍ଗା ଡିଲ” କରିଛନ୍ତି। ତେବେ ସରକାରଙ୍କ ତରଫରୁ ଦିଆ ଯାଉଥିବା ତ୍ରିରଙ୍ଗା ପତାକା ଖଦୀ କପଡା ବଦଳରେ ପଲିଷ୍ଟର କପଡ଼ାର ହୋଇଥିବା ନେଇ ସରକାରଙ୍କୁ ଏଭଳି ଟାର୍ଗେଟ କରିଛନ୍ତି ରାହୁଲ।

ରାହୁଲ ଗାନ୍ଧୀ ନିଜ ଫେସବୁକ୍ ରେ ପୋଷ୍ଟ କରି ଲେଖିଛନ୍ତି, “ଚୀନ ସହିତ ତ୍ରିରଙ୍ଗା ଡ଼ିଲ କରିଥିବା ପ୍ରଧାନମନ୍ତ୍ରୀଙ୍କୁ ଚୀନର ଅନୁପ୍ରବେଶ କିପରି ଦେଖାଯିବ। ଜଣେ ପ୍ରକୃତ ଦେଶପ୍ରେମୀ ହେଉଛି ସିଏ ଯିଏ ଦେଶର କୌଣସି କ୍ଷତି ହେବାକୁ ଦିଏ ନାହିଁ। ଜଣେ ପ୍ରକୃତ ଦେଶପ୍ରେମୀ ହେଉଛି ସିଏ ଯିଏ ଦେଶର ପ୍ରତ୍ୟେକ ଇଞ୍ଚ ଭୂଖଣ୍ଡର ସୁରକ୍ଷା ପାଇଁ ଲଢେଇ କରେ।ଜଣେ ପ୍ରକୃତ ଦେଶ ସେବା ହେଉଛି ଯିଏ ନିଜ ମାତୃଭୂମିର ସମ୍ମାନ ଏବଂ ଗର୍ବକୁ ବଞ୍ଚାଇବା ପାଇଁ ଉତ୍ସର୍ଗୀକୃତ। ବର୍ତ୍ତମାନ ଚୀନ୍ ଆମ ଦେଶର ସୀମା ଦଖଲ କରିବାକୁ ବସିଛି। କ୍ଷମତାକୁ ଆସିବା ପୂର୍ବରୁ ଚୀନ୍‌କୁ ‘ନାଲି ଆଖି’ ଦେଖାଉଥିବା ପ୍ରଧାନମନ୍ତ୍ରୀ ୮ ବର୍ଷ ଧରି ଚୀନ୍ ଆଗରେ ମୁଣ୍ଡ ନୁଆଁଇଛନ୍ତି। ଚୀନ୍‌ର ନାମ ଥରେ ହେଲେ ପ୍ରଧାନମନ୍ତ୍ରୀଙ୍କ ମୁଖରୁ ମଧ୍ୟ ବାହାରି ନାହିଁ। କେଉଁ କାରଣରୁ ଲୋକମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ନଦେଇ ଚୀନ୍ ପ୍ରସଙ୍ଗରେ ଚୁପ୍ ରହିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ? ସରକାରଙ୍କୁ ତ୍ରିରଙ୍ଗା ପାଇଁ, ଦେଶର ଗର୍ବ, ଖାଦି ବ୍ୟତୀତ ଚାଇନାରୁ ଆମଦାନୀ ହୋଇଥିବା ପଲିଷ୍ଟରକୁ ବ୍ୟବହାର କରିବାକୁ ପଡିଲା ? ଏହାର କାରଣ କଣ ଯେ ଯେତେବେଳେ ସୀମାରେ ଚୀନ୍‌ର ଅନୁପ୍ରବେଶ ବୃଦ୍ଧି ପାଉଛି, ସେତେବେଳେ ଚୀନ୍‌ରୁ ଭାରତର ଆମଦାନୀ ମଧ୍ୟ ବୃଦ୍ଧି ପାଉଛି? ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରି ଏହାର ଉତ୍ତର ଦେବା ଉଚିତ୍।” ବୋଲି ରାହୁଲ କହି ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

Related Posts