କାନପୁର ବିସ୍ଥାପିତଙ୍କ ଉପରେ ପୁଲିସ ଜୁଲୁମ୍‌: ମୋ ସରକାରର ନିର୍ଦ୍ଦୟ ବିଚାର

12

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ତା’ର ପ୍ରାଦୁର୍ଭାବ ବିସ୍ତାର କରିଚାଲିଥିବା ବେଳେ ମାନବିକତା ଭୁଲିଯାଇଛି ପୁଲିସ ଓ ପ୍ରଶାସନ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବା ପାଇଁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ବାସୁଦେବପୁର ଠାରେ । ଦୀର୍ଘଦିନ ହେବ କାନପୁର ବୃହତ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ମାନେ ସ୍ଥାନାନ୍ତର ହେବାକୁ ସମୟ ମାଗି ଆସୁଥିଲେ । କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ସେମାନେ ସମୟ ମାଗୁଥିବାର ସୂଚନା ମିଳିଛି । ତେବେ ଧୋବାକୁଚୁଡା ଠାରେ ବିସ୍ଥାପିତଙ୍କ ଘର ଭାଙ୍ଗିବା ପାଇଁ ପୁର୍ବରୁ ଦିନ ଧାର୍ଯ୍ୟ କରାଯାଇଥିଲା । ଏହା ସହ ସମସ୍ତ ବିସ୍ଥାପିତଙ୍କ ଥଇଥାନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସହ ଓ ୧୮ ବର୍ଷରୁ ଉର୍ଦ୍ଧ୍ୱ ପୁଅଝିଅଙ୍କୁ ସଂପ୍ରସାରଣ କରିବା ଆଦି ବିସ୍ଥାପିତଙ୍କ ପ୍ରମୁଖ ଦାବି ଥିଲା । କିନ୍ତୁ ପୁଲିସ ଓ ଜିଲ୍ଲା ପ୍ରଶାସନ ତାଙ୍କ ଗୁହାରି ନ ଶୁଣି ଗୋଟିଏ ପରେ ଗୋଟିଏ ଗାଁକୁ ମାଟିରେ ମିଶାଇ ଚାଲିଥିଲେ । ଏହାର ପ୍ରତିବାଦ କରି ଗ୍ରାମବାସୀ ରାସ୍ତାରୋକ କରିବା ସହ କାମ ବନ୍ଦ କରିଦେଇଥିଲେ । ଏହା ପରେ ଉଭୟ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଓ ପୁଲିସ ତାଙ୍କୁ ରାସ୍ତାରୁ ଉଠିଯିବା ପାଇଁ କହିଥିଲେ । କିନ୍ତୁ ବିସ୍ଥାପିତମାନେ ତାଙ୍କ ଜିଦରେ ଅଟଳ ରହିଥିଲେ । ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ଏବଂ ଶେଷରେ ପୁଲିସ ବିସ୍ଥାପିତ ମାନଙ୍କୁ ଲାଠି ଚାର୍ଜ କରିଥିଲେ । ଏହାର ଜବାବରେ ବିସ୍ଥାପିତମାନେ ମଧ୍ୟ ପୁଲିସ ଉପରକୁ ଢେଲା ଓ ପଥର ଫିଙ୍ଗିଥିଲେ । ଧାରଣାରୁ ଉଠିବା ପାଇଁ ପୁଲିସ ସେମାନଙ୍କୁ ଗୋଡେଇ ଗୋଡେଇ ପିଟିଥିଲା । ଏହି ମାଡରେ ଅନେକ ବିସ୍ଥାପିତ ଲହୁଲୁହାଣ ହୋଇଛନ୍ତି । ଘଟଣାସ୍ଥଳରୁ ପୁଲିସ ୪୦ ଜଣକୁ ଗିରଫ କରିବା ସହ ଲୋକଙ୍କ ଘରେ ପଶି ପିଟିଥିବାର ଅଭିଯୋଗ ହୋଇଛି । ଏହା ପରେ ଘଟଣାସ୍ଥଳରେ ୧୪୪ ଲାଗୁ କରାଯିବା ସହିତ ବିସ୍ଥାପିତଙ୍କ ଘର ଭଙ୍ଗା କାର‌୍ୟ୍ୟ ଆରମ୍ଭ ହୋଇଥିଲା । ତେବେ ବୈତରଣୀ ଉପରେ ଏହି ପ୍ରକଳ୍ପକୁ ଦୀର୍ଘ ୪୦ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିଲା ।

୪୦ ବର୍ଷ ଧରି ଚାଲି ଆସୁଥିବା ବିବାଦର ସମାଧାନ କେବେ ହବ ତାହା ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ପ୍ରଶାସନର ଏପରି କାର୍ଯ୍ୟ ପୁଣିଥରେ ସେଇ ବିବାଦକୁ ମୁଣ୍ଡ ଟେକିବାରେ ସହାୟକ କରିଛି । ସାରା ରାଜ୍ୟରେ କରୋନାର ପ୍ରକୋପ ଉଗ୍ର ରହିଥିବା ବେଳେ ସରକାର ଓ ପ୍ରଶାସନଙ୍କୁ କାହାଁକି ବତ୍ତମାନ ଏହାର ସମାଧାନ ପାଇଁ ମନବଳାଇଲେ ! ଜଣେ ନୁହେଁ ବରଂ ତିନି ତିନୋଟି ମୁଖ୍ୟମନ୍ତ୍ରୀଙ୍କ ହସ୍ତଖେପ ପରେ ସମାଧାନ ହୋଇପାରୁ ନାହିଁ କାହିଁକି ? ତେବେ ଜାନକୀବଲ୍ଲବ ପଟ୍ଟନାୟକ ଏହି ପ୍ରକଳ୍ପ ଆରମ୍ଭ କରିଥିଲେ । ସେହି ସମୟରେ ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଉକ୍ତ ସ୍ଥାନକୁ ଯାଇ ଶୁଭ ଦେଇଥିଲେ । ଏହି ପ୍ରକଳ୍ପ ଦ୍ୱାରା ୧୫ଟି ଗ୍ରାମ ପ୍ରଭାବିତ ହେବ । ବାରମ୍ବାର ପ୍ରଶାସନର ଚେଷ୍ଟା ପରେ ବି ଚମ୍ପୁଆବାସୀ ଏହି ପ୍ରକଳ୍ପକୁ ହେବାକୁ ଦେଉନାହାଁନ୍ତି ।

ପୁଣି ଥଇଥାନ, ପୁନବିସ୍ଥାପିତ ନୀତି, ଜମି ଅନୁଯାୟୀ କ୍ଷତିପୂରଣ ଏବଂ ୧୮ ବର୍ଷରୁ ଉର୍ଦ୍ଧ୍ୱ ପୁଅଝିଅଙ୍କୁ ସଂପ୍ରସାରଣ କରିବା ଆଦି ବିସ୍ଥାପିତଙ୍କ ପ୍ରମୁଖ ଦାବି ରହିଆସୁଛି । ଅନ୍ୟପଟେ ହଜାର ହଜାର ଆଦିବାସୀ ବିସ୍ଥାପନ ଏବଂ ପ୍ରାୟ ୧୫ ଟି ଗାଁର ଜଳମଗ୍ନତା ଦର୍ଶାଇ ଗ୍ରାମବାସୀ ଏହି ପ୍ରକଳ୍ପକୁ ସ୍ଥାନାନ୍ତରିତ କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ । ବାସୁଦେବପୁର ଗ୍ରାମ ନିକଟ ବୈତିରଣୀ ନଦୀ ଉପରେ ଏହି ପ୍ରକଳ୍ପ ୪୦ ବର୍ଷ ପୂର୍ବେ ଧାରଣ କରାଯାଇଥିଲା ଏବଂ ତିନିଜଣ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ଏହାର ମୂଳଦୁଆ ପକାଇଥିଲେ । ଏହା କାର୍ଯ୍ୟକାରୀ ହେଲେ ୩୦,୦୦୦ ହେକ୍ଟର ଜମିରେ ଜଳସେଚନକୁ ସହଜ ହେବ ବୋଲି ସରକାରୀ ସୁତ୍ରରୁ ଜଣାପଡିଛି । ତେବେ ସଂପୂର୍ଣ୍ଣ କ୍ଷତିପୂରଣ ନେଇଥିବା ୩୪୨ ଜଣ ବିସ୍ଥାପିତଙ୍କ ଘର ଭଙ୍ଗାଯିବ ବୋଲି ପ୍ରକଳ୍ପ ପକ୍ଷରୁ ସୂଚନା ମିଳିଛି । ସାରା ରାଜ୍ୟରେ କରୋନା ତା’ର କାୟା ବିସ୍ତାର କରିଚାଲିଥିବା ବେଳେ ପ୍ରଶାସନର ଏପରି କଠୋରତାକୁ ବୁଦ୍ଧିଜୀବି ଗହଣରେ ଘୋର ନିନ୍ଦା କରାଯାଇଛି ।

Related Posts