(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଜେପି ଶାସିତ ଉତ୍ତରପ୍ରଦେଶ ଓ ଆସାମ ସମସ୍ତ ବୟସ୍କଙ୍କ ପାଇଁ ମାଗଣା କରୋନା  ଟିକା ଘୋଷଣା କରିବା ପରେ ବିରୋଧୀ ଶାସିତ କେରଳ ଏବଂ ଛତିଶଗଡ ସମେତ ଅନେକ ରାଜ୍ୟ ବୁଧବାର ମଧ୍ୟ ଏଭଳି  ଘୋଷଣା କରିଛନ୍ତି।  ରାଜ୍ୟର ସମସ୍ତ ବର୍ଗର ଲୋକଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ ବୋଲି  କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନ କହିଛନ୍ତ। ଅନ୍ୟ ରାଜ୍ୟ ମଧ୍ୟରେ ବିହାର, ମଧ୍ୟପ୍ରଦେଶ ଏବଂ ସିକ୍କିମରେ ବୟସ୍କଙ୍କ ପାଇଁ ମାଗଣା କରୋନୋ  ଟୀକାକରଣ ଘୋଷଣା କରିଥିବାବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଟ୍ୱିଟ୍ କରି କହିଛନ୍ତି ଯେ ,18 ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ମାଗଣା ଟିକା ଘୋଷଣା କରିବା ଉଚିତ। କାରଣ ମାଗଣାରେ ଟିକା ନ ଦେବା ଦ୍ୱାରା ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବ। 
ଟୀକା ବଣ୍ଟନ ଉପରେ କେନ୍ଦ୍ରର ନୂଆ ନୀତି ବିଷୟରେ ଉଲ୍ଲେଖ କରି କେରଳର ମୁଖ୍ୟମନ୍ତ୍ରୀ ବିଜୟାନ କେନ୍ଦ୍ରକୁ  ଟିକା ମୂଲ୍ୟ ହ୍ରାସ କରିବାକୁ କହିଛନ୍ତି |  ଟୀକା ବଣ୍ଟନ ନୀତିର ପୁନର୍ବିଚାର କରିବା ଏବଂ ଆବଶ୍ୟକ ପରିମାଣର ରାଜ୍ୟକୁ ମାଗଣାରେ ଉପଲବ୍ଧ କରାଇବା ପାଇଁ  ଚିଠିରେ  ଉଲ୍ଲେଖ କରି ବିଜୟାନ କହିଛନ୍ତି, “କେନ୍ଦ୍ର ଏହା ଉପରେ ନିଜର ଆଭିମୁଖ୍ୟ ପ୍ରକାଶ କରି ନାହିଁ।  ବୁଧବାର ଅପରାହ୍ନ ସୁଦ୍ଧା କେରଳରେ  62,36,961 ଟିକା ଦିଆଯାଇଛି ଏହା ଜନସଂଖ୍ୟାର 18. 88 ପ୍ରତିଶତ ଅଟେ।  ସେଥିମଧ୍ୟରୁ 54,40,907 ପ୍ରଥମ ଡୋଜ ଥିଲା ।