ସାମ୍ବାଦିକଙ୍କୁ ପୁଲିସର ନିର୍ଯ୍ୟାତନା ମାମଲା; ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ କାର୍ୟ୍ୟରତ ସାମ୍ବାଦିକ ଲୋକନାଥ ଦଲେଇଙ୍କ ପ୍ରତି ପୋଲିସର କାର୍ୟ୍ୟାନୁଷ୍ଠାନକୁ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ କାର୍ୟ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କ ପ୍ରତି ପୋଲିସର ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ ସହିତ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଦୁଃଖଦାୟକ ଓ ଗଭୀର ଚିନ୍ତାଜନକ । ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଓଡ଼ିଶାରେ ବିଗତ କିଛି ଦିନ ମଧ୍ୟରେ ମାଲକାନଗିରିରେ ସାମ୍ବାଦିକମାନଙ୍କୁ ପୋଲିସର ଦୁଃବ୍ୟବହାର କିମ୍ବା ନିର୍ବାଚନ ସମୟରେ ଯାଜପୁର, ପିପିଲି ତଥା ଅନେକ ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଘଟଣା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ ।

ଗଣତନ୍ତ୍ରରେ ଭିନ୍ନ ମତକୁ ସମ୍ମାନ ଦେବାକୁ ପଡ଼େ । କିନ୍ତୁ ଏକ ପେଶାଦାର ଅପରାଧୀ ଭଳି ଜଣେ ସାମ୍ବାଦିକଙ୍କୁ ବେଡ଼ି ପକାଯିବା ସୁସ୍ଥ ସମାଜରେ ଆଦୌ ଗ୍ରହଣୀୟ ନୁହେଁ ।ପୋଲିସ ପ୍ରଶାସନ ଉପରେ ସାଧାରଣ ଲୋକଙ୍କର ଭରସା ରହିଥାଏ । ଏହି ଭରସା ବଜାୟ ରଖିବାକୁ ହେଲେ ଉଚ୍ଚପଦସ୍ଥ ଅଧିକାରୀ ମାନେ ସଠିକ୍ ଭାବରେ ତଦନ୍ତ କରି ଏଭଳି କାର୍ୟ୍ୟରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts