ଭାରତରେ ନିର୍ମାଣ ହେବ ଡ୍ରୋନ ଧ୍ବଂସକାରୀ ଅସ୍ତ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତରେ ନିର୍ମାଣ ହେବ ଡ୍ରୋନ ଧ୍ବଂସକାରୀ ଅସ୍ତ୍ର । ଏନେଇ ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ପକ୍ଷରୁ ଏହି ଟେକନଲୋଜୀର ବିକାଶ କରାଯାଇଛି । ଏହି ଟେକନଲୋଜୀକୁ ବ୍ୟବହାର କରି କେତେକ ଭାରତୀୟ କମ୍ପାନି ଡ୍ରୋନ-ନିରୋଧୀ ସିଷ୍ଟମ ନିର୍ମାଣ କରିବେ । ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରୁଥିବା କେତେକ ଭାରତୀୟ କମ୍ପାନି ଅଦାନି ଡିଫେନ୍ସ ସିଷ୍ଟମ୍ସ, ଏଲଏଣ୍ଡଟି ଡିଫେନ୍ସ, ଅସ୍ତ୍ର ମାଇକ୍ରୋଓ୍ବେଭ୍, ଆଇକମ ଟେଲି ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଇଲେକ୍ଟ୍ରୋନିକ କର୍ପୋରେସନ ଅଫ୍ ଇଣ୍ଡିଆକୁ ଡିଆରଡିଓର ଡ୍ରୋନ-ନିରୋଧୀ ଟେକନଲୋଜୀ ସଂପର୍କିତ ଆବଶ୍ୟକ ଡକ୍ୟୁମେଣ୍ଟ ହସ୍ତାନ୍ତର କରିଛନ୍ତି ।

ଆଜି କାଲି ଡ୍ରୋନଗୁଡ଼ିର ବ୍ୟବହାର ବଢିବା ସହ ଏହାକୁ ନେଇ ସୁରକ୍ଷା ଚିନ୍ତା ବଢିଯାଇଛି । ଡ୍ରୋନ ବ୍ୟବହାର କରି ପାକିସ୍ତାନ ପକ୍ଷରୁ ସୀମା ଏପଟକୁ ଅସ୍ତ୍ରଶସ୍ତ୍ର ପଠାଯାଉଛି । ଆଜିକାଲି ବିଭିନ୍ନ ଆକାରର ଡ୍ରୋନ ବାହାରୁ ଥିବାରୁ ସବୁଗୁଡ଼ିକୁ ଚିହ୍ନଟ କରିବା ସମ୍ଭବ ହେଉନାହିଁ । ଡିଆରଡିଓର ଏହି ନୂଆ ଟେକନଲୋଜୀ ସ୍ମଲ, ହାଇବ୍ରିଡ୍, ନାନୋ, ମାଇକ୍ରୋ ୟୁଏଭି ଗୁଡ଼ିକୁ ଚିହ୍ନଟ କରିବା ସହ ଆବଶ୍ୟକତା ଅନୁସାରେ ସେଗୁଡ଼ିକୁ ଅକାମି ବା ଧ୍ବଂସ କରିପାରିବ । ୟୁଏଭି ବା ଡ୍ରୋନଗୁଡ଼ିକୁ ଚିହ୍ନଟ ପାଇଁ ଏହି ସିଷ୍ଟମରେ ସେନସର ଲାଗିଛି, ସେନସର ଦ୍ବାରା ଡ୍ରୋନ ଚିହ୍ନଟ ହେବା ପରେ ଜାମି ଓ ଆଣ୍ଟି-ଜିଏନଏସଏସ ଟେକନୋଲଜୀ ବ୍ୟବହାର କରି ସେଗୁଡ଼ିକୁ ଅକାମି କରିହେବ । ପୁଣି ଯଦି ଡ୍ରୋନକୁ ଧ୍ବଂସ କରିବା ଆବଶ୍ୟକ ପଡେ ତେବେ ଲେଜର ଅସ୍ତ୍ର ବ୍ୟବହାର କରି ତାହାକୁ ଧ୍ବଂସ କରିହେବ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହାର ଚର୍ଚ୍ଚା ଜୋର ଧରିଛି ।

Related Posts