
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସାରା ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି । ଏପରିସ୍ଥିତିରେ କୋଭିଡ ରିଲିଫ ସାମଗ୍ରୀ ବଣ୍ଟନ ସହ ଜଡିତ ଅଭିଯୋଗରେ ଦିଲ୍ଲୀ ପୋଲିସ ଶ୍ରୀନିବାସ ବିଭିଙ୍କୁ ପଚରାଉଚରା କରିଛି । କ୍ରାଇମ ବ୍ରାଞ୍ଚ ଅଧିକାରୀଙ୍କ ଏକ ଟିମ୍ ଭାରତୀୟ ଯୁବ କଂଗ୍ରେସର ମୁଖ୍ୟାଳୟରେ ପହଞ୍ଚି ଏହାର ସଭାପତି ଶ୍ରୀନିବାସ ବିଭିଙ୍କୁ 20 ମିନିଟ୍ ପ୍ରଶ୍ନ କରିଥିଲେ ଏବଂ ତାଙ୍କ ଯୋଗାଣ ଉତ୍ସର ସବିଶେଷ ତଥ୍ୟ ଖୋଜିଥିଲେ ।
ତେବେ ଯୁବ କଂଗ୍ରେସର ସଭାପତି ଶ୍ରୀନିବାସ ବିଭିଙ୍କୁ ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ଅମ୍ଳଜାନ ସିଲିଣ୍ଡର ଉତ୍ସ ତଥା ଅନ୍ୟ ଜୀବନ ରକ୍ଷାକାରୀ ଔଷଧକୁ ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳର ଅଭାବୀ ଲୋକଙ୍କୁ ବଣ୍ଟନ କରାଯାଉଥିବା ନେଇ ପଚରାଉଚରା କରିଥିଲା । ଅନ୍ୟପଟେ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ ପୋଲିସ କହିଛି କୋଭିଡ ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ବିତରଣରେ ବିଭିନ୍ନ ଦଳର ରାଜନେତା ଜଡିତ ଅଛନ୍ତି। ସବୁଠାରୁ ରୋଚକ କଥାଟି ହେଉଛି ଏହି ଆବେଦନରେ କାହାର ନାମ ନାହିଁ । ତେଣୁ କ୍ରାଇମ ବ୍ରାଞ୍ଚ ଦଳ ଶ୍ରୀ ଶ୍ରୀନିବାସଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ବିବୃତ୍ତି ରେକର୍ଡ କରିଛନ୍ତି। ତେବେ ଏ ଘଟଣାର ପ୍ରତିକ୍ରିୟା ରଖି ଶ୍ରୀନିବାସ କହିଛନ୍ତି ଆମେ ସେମାନଙ୍କ ସହ ସମସ୍ତ ତଥ୍ୟ ବାଣ୍ଟିଛୁ ଏବଂ ଲୁଚାଇବାକୁ ଆମର କିଛି ନାହିଁ, ଆମେ ରିଲିଫ୍ କାର୍ଯ୍ୟ ଜାରି ରଖିବୁ ।