
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୋଲିସ ଗ୍ରାମବାସୀ ମୁହାଁମୁହିଁ । ତେବେ ଚୀନାମାଟି ସୁରକ୍ଷା ସମିତି ପକ୍ଷରୁ ଖଣିଖନନକୁ ବିରୋଧ କରି ପୋଲିସ ଉପରକୁ ଆକ୍ରମଣ ହୋଇଛି । ଏବଂ ଗ୍ରାମବାସୀମାନେ ଜଣେ ପୁଲିସ ଅଧିକାରୀଙ୍କୁ ଏକ ଗାତରେ ପକାଇଦେଇଥିବାର ମଧ୍ୟ ଦେଖିବାକୁ ମିଳିଛି । ସେପଟେ ଯେଉଁ କମ୍ପାନୀ ମାଟି ଖନନ କରି ନେଉଛି ପ୍ରଥମେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ଅଞ୍ଚଳର ଉନ୍ନୟନ ମୂଳକ କାର୍ୟ୍ୟ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ମାଲିକାନା ଜମି ଗୁଡ଼ିକକୁ କ୍ଷତି ପୂରଣ ଦିଆଯାଉ । ତା ପରେ ମାଟି ଖନନକୁ ଅନୁମତି ଦେବା ନେଇ ଦୀର୍ଘ ୪ ବର୍ଷ ହେଲାଣି ଗ୍ରାମବାସୀ ଦାବି କରି ଆସୁଛନ୍ତି । ଅନ୍ୟପଟେ ଲମତାପୁଟ ବ୍ଲକ ଅନ୍ତର୍ଗତ କୁମାର ର୍ଗନ୍ଧଣା ପଞ୍ଚାୟତରେ ଚୀନାମାଟି ଥିବା ସ୍ଥାନକୁ ଖନନ କମ୍ପାନୀର ସୁରକ୍ଷାକର୍ମୀ ମାନେ ଯାଇଥିବା ବେଳେ ସେଠାରେ ପ୍ରାୟ ଶହେରୁ ଅଧିକ ଗ୍ରାମବାସୀ ସେମାନଙ୍କୁ ଅଟକାଇ ଧମଚମକ ଦେଇଥିଲେ ।
ନନ୍ଦପୁର ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ବୁଝାଇବା ପାଇଁ ଚେଷ୍ଟା କରୁଥିବା ବେଳେ ମାରଣାସ୍ତ୍ର ଦେଖାଇ ନନ୍ଦପୁର ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରାଙ୍କୁ ମାଡ ମାରି ତଳେ ପକାଇ ଦେଇଥିଲେ । ନିକଟରେ ଥିବା ସହଯୋଗୀ ପୋଲିସକର୍ମୀ ମାନେ ତାଙ୍କୁ ଉଦ୍ଧାର କରିଥିଲେ ଏବଂ ପୋଲିସ ନମ୍ରତା ସହ ଲୋକଙ୍କୁ ବୁଝାସୁଝା କରି ସୁରକ୍ଷାକର୍ମୀଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ପୋଲିସ ଉପରକୁ ଅକ୍ରମଣ ଘଟଣାର ଭିଡିଓ ଆସିବା ପରେ ସବୁ ମହଲରେ ନିନ୍ଦା କରାଯାଇଛି । ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଛି । ଏହିଘଟଣାକୁ ନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ପୋଲିସ କଡା ପଦକ୍ଷେପ ନେବା ଭଳି ସୂଚନା ମିଳୁଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।