ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ: ପ୍ରଶାସନ ପକ୍ଷରୁ ୧୪୪ଧାରା ଲାଗୁ

ମୁମ୍ବାଇ: ମହାରାଷ୍ଟରେ ଦେଖାଦେଇଛି ରାଜନୈତିକ ସଙ୍କଟ । ବିଦ୍ରୋହୀଙ୍କ ହରତାଳ କୁ ନେଇ ସୃଷ୍ଟି ହୋଇଛି ଅଶାନ୍ତି । ଉଦ୍ଧବ ସରକାର ଆସନ ଟଳମଳ ହୋଇଛି । ତା ସାଙ୍ଗକୁ ଦେଖାଦେଇଥିବା ଉତ୍ତେଜନାକୁ ନେଇ ପ୍ରଶାସନ ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି।

ବିଦ୍ରୋହ ବିଧାୟକଙ୍କୁ ନେଇ ମହାରାଷ୍ଟ୍ରରେ ଉତ୍ତେଜନା ଦେଖାଦେଇ ବେଳେ ମୁମ୍ବାଇରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଲାଗୁ କରାଯାଇଛି।

ଏହି କଟକଣା ଜୁଲାଇ ୧୦ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ସୋସିଆଲ ମିଡିଆ ଉପରେ ପୋଲିସ କଡ଼ା ନଜର ରଖିଛି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ବିଦ୍ରୋହର ଝଡ଼ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି।

ସେମାନଙ୍କୁ ଉଦ୍ଧବ କ୍ୟାମ୍ପ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କିଛି ବି ବୁଝି ନାହାନ୍ତି।

ଏସବୁ ଭିତରେ ଉଦ୍ଧବ ସମର୍ଥକ ଶିବସେନାର କର୍ମମାନେ ବିଦ୍ରୋହୀ ବିଧାୟକ ତାନାଜୀ ସାୱନ୍ତଙ୍କ ଅଫିସରେ ଭଙ୍ଗାରୁଜା କରିଛନ୍ତି। ସାୱନ୍ତ ବର୍ତ୍ତମାନ ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ସହ ଆସାମର ଗୌହାଟୀରେ ରହିଛନ୍ତି। ହେଲେ ପୁଣେର କତ୍ରାଜ ଅନ୍ତର୍ଗତ ବାଲାଜୀରେ ଥିବା ତାଙ୍କ ଅଫିସରେ ଶିବସେନାର କର୍ମୀମାନେ ପଶି ତୁମୁଳକାଣ୍ଡ ଘଟାଇଛନ୍ତି।

ସେମାନେ ଅଫିସରେ ଭଙ୍ଗାରୁଜା କରିବା ସହ ଆସବାବପତ୍ରକୁ ନଷ୍ଟ କରି ଦେଇଛନ୍ତି। ଭଙ୍ଗାରୁଜା କରିଥିବା କର୍ମୀମାନେ ଏହା ଆରମ୍ଭ ମାତ୍ର କହିଛନ୍ତି। ସେମାନେ କହିଛନ୍ତି, “ବାଲାସାହେବ ଠାକରେ ପୁଣେରେ ଜନ୍ମ ଗ୍ରହଣ କରିଥିଲେ। ଆଉ ସବୁ କିଛି ପୁଣେରୁ ଆରମ୍ଭ ହୋଇଛି। ବିଦ୍ରୋହୀ ବିଧାୟକମାନେ ରାସ୍ତାରେ ଚାଲି ପାରିବେ ନାହିଁ।

ଯଦି ସେମାନେ ସୁରକ୍ଷା ଚାହାନ୍ତି, ତା’ହେଲେ କେନ୍ଦ୍ରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରନ୍ତୁ। ସେମାନଙ୍କୁ ମହାରାଷ୍ଟ୍ରର ସୁରକ୍ଷା ମିଳିବ ନାହିଁ। ମହାରାଷ୍ଟ୍ରରେ ଶିବସେନା ସରକାର ଚାଲିଛି। ଏବେ ଜଣଙ୍କ ଅଫିସ ଭଙ୍ଗା ଯାଇଛି। ଆଗକୁ ଆହୁରି ବିଧାୟକଙ୍କୁ ସମଦଶା ଭୋଗିବାକୁ ପଡ଼ିବ।”

ଅନ୍ୟପକ୍ଷରେ ଶିବସେନା କର୍ମୀଙ୍କ ଭଙ୍ଗାରୁଜାକୁ ପରୋକ୍ଷରେ ସମର୍ଥନ କରିଛନ୍ତି ଦଳର ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ। ସେ କହିଛନ୍ତି, ଦଳୀୟ କର୍ମୀଙ୍କ ଆକ୍ରୋଶକୁ ରୋକିବା ଅସମ୍ଭବ। ଆଜିର ଭଙ୍ଗାରୁଜା ଶିବ ସୈନିକଙ୍କ ଆକ୍ରୋଶର ପ୍ରତିଫଳନ। ଲୋକଙ୍କ ଧୈର୍ଯ୍ୟ ଭାଙ୍ଗିବାରେ ଲାଗିଛି। ଏଯାଏ ଶିବ ସୈନିକ ରାସ୍ତାକୁ ଓହ୍ଲାଇ ନାହାନ୍ତି। ଯଦି ସେମାନେ ଆସିବେ, ତା’ହେଲେ ରାସ୍ତାରେ ନିଆଁ ଜଳିବ ବୋଲି ସେ କହିଛନ୍ତି।

Related Posts