ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିଟ୍ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଦେଶସାରା ମୁଣ୍ଡ ଟେକିଥିବା ଆନ୍ଦୋଳନ କମ୍ ହୋଇନଥିବା ବେଳେ, ଓଡ଼ିଶାରୁ ପୁଣି ଏକ ପ୍ରଶ୍ନପତ୍ର ଲିକ୍‌ ଖବର ସାମ୍ନାକୁ ଆସିଛି। ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜର ପିଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି।

ଲକ୍ଷ ଲକ୍ଷ ଟଙ୍କା ବଦଳରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଯୋଗାଇ ଦିଆଯାଉଥିବା ଜଣାପଡ଼ିଛି।ୱାଟ୍‌ସ୍‌ଆପ୍ ଗ୍ରୁପ୍‌ଗୁଡ଼ିକରେ ପ୍ରଶ୍ନପତ୍ରର କପି ବୁଲୁଥିବା ଦେଖିବାକୁ ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ଏଭଳି ଗୁରୁତର ଅନିୟମିତତା ଏବେ ପଦାକୁ ଆସିଛି।

ଏହି ପ୍ରଶ୍ନପତ୍ର ଲିକ୍‌ ରାକେଟ୍‌ରେ ଜଣେ ଡାକ୍ତରୀ ଛାତ୍ର ଏବଂ ଅନୁଷ୍ଠାନର ଜଣେ ବରିଷ୍ଠ କିରାଣୀ ସଂଶ୍ଳିଷ୍ଟ ଥିବା ଅନୁମାନ କରାଯାଉଛି। ଲକ୍ଷାଧିକ ଟଙ୍କାର କାରବାର କରି ବିଦ୍ୟାର୍ଥୀଙ୍କ ବିଭିନ୍ନ ୱାଟ୍‌ସ୍‌ଆପ୍ ଗ୍ରୁପ୍‌ରେ ପ୍ରଶ୍ନପତ୍ରର କପି ପଠାଯାଉଥିବା ସୂଚନା ମିଳିଛି।

ସେହିପରି ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ମଧ୍ୟ ଏହି ପ୍ରଶ୍ନପତ୍ର ବିକ୍ରି କରାଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଖରେ ହୋଇଥିବା ଅଭିଯୋଗକୁ ଆଧାର କରି ଘଟଣାର ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରାଯାଇଛି।