ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚିକିତ୍ସାଧୀନ ଅବସ୍ଥାରେ ଚିରଦିନ ପାଇଁ ଆଖି ବୁଜିଦେଲା ମା’ । ଶବ ସତ୍କାର ପାଇଁ ଗାଁକୁ ନେବାକୁ ବାହାରିଥିଲେ ପୁଅ । ହେଲେ ମିଳିଲାନି ସରକାରୀ ମହାପ୍ରଣାୟ ଗାଡ଼ି । ପାଖରେ ପଇସା ନଥିବାରୁ ଘରୋଇ ଆମ୍ବୁଲାନ୍ସ ଯୋଗାଡ଼ି ପାରିଲେ ନାହିଁ । ଶେଷରେ ପୁଅ ମା’ର ଶବକୁ ଷ୍ଟ୍ରେଚରରେ ପକାଇ ରାସ୍ତାରେ ଗଡ଼ାଇ ଗଡ଼ାଇ ଦୀର୍ଘ ୪୦ କିମି ଦୂର ଯିବାକୁ ବାହାରିଲା ।ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଛାତି ଉପରେ ଥିବା କ୍ୟାପିଟାଲ ହସ୍ପିଟାଲରେ । ଗରିବଙ୍କ ପାଇଁ ଉତ୍ସର୍ଗୀକୃତ ସରକାରୀ ମହାପ୍ରଣାୟ ଯୋଜନା ଏଠି କାମକୁ ଆସିଲାନାହିଁ ।

ଖୋର୍ଦ୍ଧା ବୋଲଗଡ଼ ଡଙ୍ଗରପଡ଼ା ଅଞ୍ଚଳର ମାନସ ବାହୁବଳେନ୍ଦ୍ରଙ୍କ ମା’ଙ୍କ ଦେଖ ଖରାପ ଥିଲା । ମାନସ ମା’ଙ୍କୁ ପ୍ରଥମେ ଏମ୍‌ସ ଭୁବନେଶ୍ୱରକୁ ନେଇଥିଲେ । ସେଠାରେ କିନ୍ତୁ ବେଡ୍‌ ନଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ କଟକ ଏସ୍‌ସିବି ପରାମର୍ଶ ଦେଇଥିଲେ । ହେଲେ ମାନସଙ୍କ ପାଖରେ ଆର୍ଥିକ ସମ୍ବଳ ନଥିବାରୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ । ସୋମବାର ସନ୍ଧ୍ୟା ୫ଟାରେ ହସ୍ପିଟାଲରେ ପହଞ୍ଚିଥିଲେ । କିନ୍ତୁ ଚିକିତ୍ସା ସତ୍ୱେ ମା’ଙ୍କ ମୃତ୍ୟୁ ହୋଇଥିଲା । ମାନସ ମା’ଙ୍କ ଶବ ନେବା ପାଇଁ ମହାପ୍ରଣାୟ ଗାଡ଼ି ଯୋଗାଇ ଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଗାଡ଼ି ଦେବାକୁ ମନା କରି ଦେଇଥିଲେ । ତେଣୁ ମା’ଙ୍କ ମୃତଦେହକୁ ହ୍ୱିଲ୍‌ ଷ୍ଟ୍ରେଚରରେ ପକାଇ ଗଡ଼ାଇ ଗଡ଼ାଇ ନିଜ ଗାଁକୁ ନେବାକୁ ବାହାରିଥିଲେ । ରାସ୍ତାରେ ଏଭଳି ଦୃଶ୍ୟ ଦେଖି ମାନସଙ୍କୁ ଲୋକେ ଘଟଣା ସମ୍ପର୍କରେ ପଚାରିଥିଲେ ।

ମାନସ କହିଥିଲେ ଆମ୍ବୁଲାନ୍ସ ଭଡ଼ା ଦେବାକୁ ମୋ ପାଖରେ ପଇସା ନାହିଁ । ତେଣୁ ମା’ଙ୍କୁ ଷ୍ଟ୍ରେଚରରେ ପକାଇ ନେଇଯିବି । ଏହା ଶୁଣି ସେଠାରେ ଉପସ୍ଥିତ ଘରୋଇ ଆମ୍ବୁଲାନ୍ସ କର୍ମଚାରୀମାନେ ମାନବିକତାର ହାତ ବଢ଼ାଇଥିଲେ । ଭୁବନେଶ୍ୱର ଘରୋଇ ଆମ୍ବୁଲାନ୍ସ ମାଲିକ ସଂଘ ପକ୍ଷରୁ ମାଗଣାରେ ଶବ ପରିବହନ କରି ଗାଁ’ରେ ଛାଡ଼ିଥିଲେ । ମାନସ ମଧ୍ୟ ସଂଘ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଥିଲେ ।