୩ ଦିନରେ ୨ ଥର ପାଇଁ ଅମିତ୍ ଶାହାଙ୍କୁ ଭେଟିଲେ ବେଙ୍ଗଲ ରାଜ୍ୟପାଳ – ପଶ୍ଚିମବଙ୍ଗରେ ବିଜେପିର ନୂଆ ଖେଳକୁ ନେଇ କଳ୍ପନା କଳ୍ପନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ସରକାର ଏବଂ ରାଜ୍ୟପାଳ ଜଗଦୀପ ଧନକଡଙ୍କ ବିରୋଧରେ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଶନିବାର ଦିନ ପୁଣିଥରେ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଛନ୍ତି। ତିନି ଦିନ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ରାଜ୍ୟପାଳ ଧନକଡଙ୍କ ଏହା ଦ୍ବିତୀୟ ସାକ୍ଷାତକାର । ଅମିତ ଶାହାଙ୍କୁ ଭେଟିବା ପରେ ଧନଖଡ କହିଛନ୍ତି ଯେ ବର୍ତ୍ତମାନ ଗଣତନ୍ତ୍ର, ସମ୍ବିଧାନ ଏବଂ ଆଇନ ଉପରେ ବିଶ୍ୱାସ ବଜାୟ ରଖିବାର ସମୟ। ସମସ୍ତ ଅମଲାତନ୍ତ୍ର ଏବଂ ପୋଲିସ୍ ଆଚାର ସଂହିତା ଏବଂ ନିୟମ ପାଳନ କରିବା ଉଚିତ୍ ବୋଲି ସେ ନିବେଦନ କରିଛନ୍ତି। ଜଗଦୀପ ଧନଖଡ ଶୁକ୍ରବାର ଦିନ ଦିଲ୍ଲୀରୁ କୋଲକାତା ଫେରିବାର କାର୍ଯ୍ୟସୂଚୀ ଥିଲା। କିନ୍ତୁ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଉପରେ ଆଲୋଚନା କରିବା ପାଇଁ ସେ କାର୍ଯ୍ୟସୂଚୀ ପରିବର୍ତ୍ତନ କରି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଛନ୍ତି। ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ରାଜ୍ୟପାଳ ଏବଂ ବେଙ୍ଗଲ ସରକାର ଏବେ ମୁହାଁମୁହିଁ ହୋଇଛନ୍ତି। ଏହା ମଧ୍ୟରେ ସେ ନିକଟରେ ଦିଲ୍ଲୀ ଗସ୍ତରେ ଆସି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ ଏବେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ରାଜ୍ୟପାଳଙ୍କ ଏହି ହାବଭାବକୁ ନେଇ ଟିଏମସି କଡା ଅସନ୍ତୋଷ ପ୍ରକାଶ କରିଛି। ଟିଏମସି ନେତା କୃଣାଳ ଘୋଷ କହିଛନ୍ତି, ରାଜ୍ୟପାଳ ବିଜେପି ସଦସ୍ୟଙ୍କ ପରି ବ୍ୟବହାର କରୁଛନ୍ତି। ସେ ରାଜ୍ୟ ସରକାରଙ୍କୁ ହଇରାଣ କରିବାକୁ ଚାହୁଁଛନ୍ତି। ସେ ବିଜେପିର ଷଡ଼ଯନ୍ତ୍ରର ଜଣେ ଅଂଶୀଦାର ହୋଇଯାଇଛନ୍ତି। ଜନମତକୁ ସେମାନେ ଗ୍ରହଣ କରିପାରୁ ନାହାନ୍ତି। ତେଣୁ ନିର୍ବାଚନ ପରେ ବାରମ୍ୱାର ବିଜେପି ନେତା ଏବଂ ରାଜ୍ୟପାଳ ନିର୍ବାଚନୀ ପରବର୍ତ୍ତୀ ହିଂସା ବାବଦରେ ମତ ରଖୁଛନ୍ତି ବୋଲି ସେ କହିଛନ୍ତି।

Related Posts