“ମୋ ସରକାର” ରେ ସ୍ଵାସ୍ଥ୍ୟ ବିଭାଗର ଅବସ୍ଥା ସଙ୍କଟାପନ୍ନ ; ପେଡ଼ି ଖୋଲିଦେଲା ଡାକ୍ତର ସଙ୍ଘ ଚିଠି

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ଓଡିଶା ସରକାରଙ୍କ “ମୋ ସରକାର” ରେ ସ୍ଵାସ୍ଥ୍ୟ ବିଭାଗର ଅବସ୍ଥା ଏବେ ସଙ୍କଟାପନ୍ନ। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ରାଜ୍ୟ ସରକାରଙ୍କୁ ଡାକ୍ତର ସଙ୍ଘ ପକ୍ଷରୁ ଲେଖାଯାଇଥିବା ଏକ ଚିଠି। ଗତ ମାର୍ଚ୍ଚ ମାସ ୧୨ ତାରିଖରେ ରାଜ୍ୟ ସରକାରଙ୍କ ଅଧିକାରୀ ମାନଙ୍କ ସହ ହୋଇଥିବା ଆଲୋଚନାରେ ଡାକ୍ତର ମାନଙ୍କ ଦାବି ପୂରଣ ପାଇଁ ଓଡିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (ଓଏମ୍ଏସ୍ଏ) ର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଓଏମ୍ଏସ୍ଏ ସଭାପତି ନାରାୟଣ ରାଉତ୍ କହିଛନ୍ତି ଯେ ସେମାନେ ଅବସର ବୟସ ସୀମାକୁ ୬୨ ବର୍ଷରୁ ୬୫ ବର୍ଷକୁ ବୃଦ୍ଧି କରିବାକୁ ଚାହୁଁନାହାଁନ୍ତି। ସେ ଦାବି କରିଛନ୍ତି ଯେ,  “ଯଦି ସରକାର ଅବସର ବୟସ ସୀମା ୬୫ ବର୍ଷ ରଖୁଛନ୍ତି , ତେବେ ଯେଉଁ ଡାକ୍ତରମାନେ ୬୨ ବର୍ଷ ବୟସରେ ଅବସର ନେବାକୁ ଚାହୁଁଛନ୍ତି ସେମାନଙ୍କୁ ଅନୁମତି ଦିଆଯିବ ଉଚିତ୍। ୬୫ ବର୍ଷରେ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କୁ ପ୍ରଶାସନିକ ନିଯୁକ୍ତି ନଦେଇ ରୋଗୀ ସେବାରେ ନିଯୁକ୍ତି କରିବାକୁ ସେମାନେ ଦାବି କରାଯାଇଛି। ଏହା ଦ୍ବାରା ଜୁନିୟର ଡାକ୍ତରମାନଙ୍କର ପଦୋନ୍ନତିରେ ବାଧାପ୍ରାପ୍ତ ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ Dynamic Assured Career Progression (DACP) ଯୋଜନାର ଢାଞ୍ଚା ଆଧାରରେ ଓଡ଼ିଶା ସ୍ୱାସ୍ଥ୍ୟ ସେବା କ୍ୟାଡରର ଡାକ୍ତରମାନଙ୍କୁ ପଦୋନ୍ନତି ଦିଆଯିବା ଆବଶ୍ୟକ ବୋଲି ଡାକ୍ତର ସଂଘ ଦାବି କରିଛି। DACP ଯୋଜନାର ଲାଭ ସଙ୍ଗେ ସଙ୍ଗେ ଦନ୍ତ ଚିକିତ୍ସକଙ୍କ କ୍ୟାଡରର ପୁନର୍ଗଠନ ପାଇଁ ମଧ୍ୟ ସେ ଦାବି କରିଛନ୍ତି। ରାଉତ କହିଛନ୍ତି ଯେଉଁମାନେ ବୟସ ସୀମା ଅତିକ୍ରମ କରିଯାଇଥିବା କାରଣରୁ ଓଡିଶା ଜନସେବା ଆୟୋଗ (ଓପିଏସସି) ଦ୍ବାରା ଆୟୋଜିତ ପରୀକ୍ଷା ଦେଇପାରିବେ ନାହିଁ । ରାଜ୍ୟ ସରକାର ଦୀର୍ଘ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଆଡ-ହକ୍ ଡାକ୍ତରଙ୍କ ଚାକିରି ନିୟମିତ କରିବାକୁ ସେ ଦାବି କରିଛନ୍ତି। ଓଏମ୍ଏସ୍ଏ ସଭାପତି ଆହୁରି ମଧ୍ୟ ଦାବି କରିଛନ୍ତି ଯେ “ଆୟୁଷ ନିର୍ଦ୍ଦେଶକଙ୍କୁ ସ୍ୱତନ୍ତ୍ର ସଚିବ ପଦବୀ ଦିଆଯାଇଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ୧୨ ନିର୍ଦ୍ଦେଶକ ବରିଷ୍ଠ ପ୍ରଶାସନିକ ଗ୍ରେଡ୍ (SAG) ରେ କାର୍ଯ୍ୟ କରୁଛନ୍ତି।  ଏହି ନିର୍ଦ୍ଦେଶକମାନଙ୍କୁ ସ୍ୱତନ୍ତ୍ର ସଚିବ ପଦବୀ ଦିଆଯିବା ଉଚିତ୍ ବୋଲି ଓଏମ୍ଏସ୍ଏ ସଭାପତି କହିଛନ୍ତି। ମାର୍ଚ୍ଚ ୧୨ ତାରିଖରେ ଦାବି ପୂରଣ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ । ତେଣୁ ସେମାନଙ୍କ ଦାବି ପ୍ରତି ରାଜ୍ୟ ସରକାର ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି ।  ଏହି ମହାମାରୀ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଡାକ୍ତରମାନେ ଦିନ ରାତି ପରିଶ୍ରମ କରୁଛନ୍ତି। ତେଣୁ ଡାକ୍ତର ମାନଙ୍କ ଦାବି ପୂରଣ ହେଲେ ସେମାନେ ଉତ୍ସାହିତ ହେବେ ବୋଲି ରାଉତ କହିଛନ୍ତି।

Related Posts