ନିର୍ବାଚନ ପରବର୍ତ୍ତୀ ହିଂସା: ବେଙ୍ଗଲ ସରକାରଙ୍କ NHRC ତଦନ୍ତ ଆଦେଶ ପ୍ରତ୍ୟାହାର ଆବେଦନ ଖାରଜ କଲେ କୋଲକାତା ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗର ଟିଏମସି ସରକାରଙ୍କୁ କୋଲକତା ହାଇକୋର୍ଟରୁ ଏକ ବଡ ଝଟ୍‌କା ଲାଗିଛି। ହାଇକୋର୍ଟ ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ ହୋଇଥିବା ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି । ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାର ତଦନ୍ତ କରିବାକୁ ଜାତୀୟ ମାନବାଧିକାର କମିଶନଙ୍କୁ ଜୁନ ୮ ତାରିଖରେ ୫ ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ତେବେ ମମତା ସରକାର ଏହି ନିର୍ଦ୍ଦେଶକୁ ରଦ୍ଦ କରିବା ପାଇଁ କଲିକତା ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ସୋମବାର ଦିନ ଏହି ଆବେଦନକୁ ଖାରଜ କରିଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ରାଜେଶ ବିନ୍ଦାଲ ନେତୃତ୍ୱରେ ସୋମବାର ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି। ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଲୋକମାନଙ୍କୁ ମାଡ଼ ମରାଯିବା ସହିତ ସମ୍ପତ୍ତି ନଷ୍ଟ କରିବା ଓ ଚୋରି କରାଯାଇଥିବା ନେଇ କୋର୍ଟରେ ଏକ ଆବେଦନ କରାଯାଇଥିଲା। ଏହି ମାମଲାରେ କୋର୍ଟ ଜାତୀୟ ମାନବାଧିକାର କମିଶନଙ୍କୁ ଅଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏକ କମିଟି ଗଠନ କରି ମାନବାଧିକାର ଉଲ୍ଲଂଘନ ନେଇ ହୋଇଥିବା ସମସ୍ତ ମାମଲାକୁ ତଦନ୍ତ କରିବା ସହିତ ବିସ୍ତୃତ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ପକ୍ଷରୁ କୋର୍ଟରେ କୁହାଯାଇଥିଲା ଯେ “ ନିର୍ବାଚନ ପରେ ହୋଇଥିବା ସମସ୍ତ ହିଂସାକୁ ନିର୍ବାଚନ ପରବର୍ତ୍ତୀ ହିଂସା ବୋଲି କୁହାଯାଇପାରିବ ନାହିଁ। ଆମକୁ ଅଧିକ ତଥ୍ୟ ରଖିବାକୁ ଅନୁମତି ଦିଆଯିବା ଉଚିତ ଯାହା ଦ୍ବାରା ସବୁକିଛି ଏହି କୋର୍ଟରେ ହିଁ ସମାଧାନ ହୋଇପାରିବ । ରାଜ୍ୟ ସରକାର ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ କୋର୍ଟଙ୍କୁ କହିଛନ୍ତି। ରାଜ୍ୟ ଆଇନ ସେବା ପ୍ରାଧିକରଣ ତଥା ରାଜ୍ୟ ମାନବ ଅଧିକାର ଆୟୋଗର ଜଣେ ସଦସ୍ୟଙ୍କୁ ଏହି କମିଟିରେ ଅନ୍ତର୍ଭୁକ୍ତ କରାଯିବା ଉଚିତ ବୋଲି ବେଞ୍ଚ ନିର୍ଦ୍ଦେଶ ଦେଇଛି। କୋର୍ଟ କହିଛନ୍ତି ଯେ ଏହି ତଦନ୍ତ ପ୍ରକ୍ରିୟାରେ NHRC ସମ୍ପୃକ୍ତ ହେବା ଆବଶ୍ୟକ କାରଣ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

Related Posts