ରାକେଶ ଟିକାୟତଙ୍କ ଚେତାବନୀ – ” ସରକାର ମାନିବାକୁ ନାରାଜ, ଟ୍ରାକ୍ଟର ସହ ପ୍ରସ୍ତୁତ ରୁହ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ତାଙ୍କର ଆଭିମୁଖ୍ୟ ପରିବର୍ତ୍ତନ କରି ନାହାନ୍ତି। ଗତ କିଛିଦିନ ତଳେ ନୂତନ କୃଷି ଆଇନ୍ ପ୍ରତ୍ୟାହାର କରାଯିବ ନାହିଁ ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସ୍ପଷ୍ଟ କରିଥିଲେ। କୃଷି ମନ୍ତ୍ରୀଙ୍କ ଏଭଳି ବୟାନ ପରେ ଆନ୍ଦୋଳନକୁ ଅଧିକ ତୀବ୍ର କରିବା ଲାଗି ଅପିଲ୍ କରିଛନ୍ତି ବିକେୟୁ ନେତା ରାକେଶ ଟିକାୟତ । ଟିକାୟତ ଟ୍ୱିଟ୍ କରି କହିଛନ୍ତି, “ସରକାର ମାନିବାକୁ ପ୍ରସ୍ତୁତ ନାହାନ୍ତି ତେଣୁ ଚିକିତ୍ସା ତ କରିବାକୁ ପଡ଼ିବ। ଟ୍ୟାକ୍ଟ୍ରର ପ୍ରସ୍ତୁତ କରି ରଖ ଜମି ବଞ୍ଚାଇବା ପାଇଁ ଆନ୍ଦୋଳନକୁ ତୀବ୍ର କରିବାକୁ ପଡ଼ିବ।” ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ରାକେଶ ଟିକାୟତ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ତେବେ ଉଲ୍ଲେଖନୀୟ କଥା ହେଉଛି ଆଗକୁ ୟୁପି, ଉତ୍ତରାଖଣ୍ଡ ଏବଂ ପଞ୍ଜାବରେ ନିର୍ବାଚନ ପାଖେଇ ଆସୁଥିବାରୁ ଟିକାୟତଙ୍କ ଚେତାବନୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ସମୟରେ ତିନି କୃଷି ଆଇନକୁ ପ୍ରତ୍ୟାହାର ଏବଂ ଏମ୍ଏସପି ସୁନିଶ୍ଚିତ କରିବାକୁ ନୂତନ ଆଇନ ଆଣିବା ପାଇଁ ଚାଷୀ ନେତାମାନେ ଦାବି କରି ଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ୧୦ ଥର କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ବୈଠକ ବସିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ଏପଟେ ସରକାର ଆଇନରେ ସଂଶୋଧନ କରିବାକୁ ପ୍ରସ୍ତୁତ ଥିବା ବେଳେ ପ୍ରତ୍ୟାହାର କରିବାକୁ ରାଜି ନୁହନ୍ତି । ହେଲେ ଚାଷୀଙ୍କ କହିବାନୁସାରେ ଆଇନରେ ସଂଶୋଧନକୁ ଗ୍ରହଣ କରାଯିବ ନାହିଁ। ସୂଚନାଯୋଗ୍ୟ କରୋନା ସଙ୍କଟ ସମୟରେ ଗତ ୨୦୦ ରୁ ଅଧିକ ଦିନ ଧରି ଦିଲ୍ଲୀ ସୀମାରେ କୃଷକଙ୍କ ବିରୋଧ ଚାଲିଛି।

Related Posts