ଖସୁଛି ପ୍ରଧାନଙ୍କ ପତିଆରା !

ସତ୍ୟପାଠ ବ୍ୟୁରୋ : ମାତ୍ର ୨୩ ଜଣଙ୍କ ଭିତରେ ଜାହିର କରିପାରିଲେ ନାହିଁ ନିଜର ସର୍ବମାନ୍ୟ ନେତୃତ୍ୱଙ୍କୁ । ରାଜ୍ୟ ବିଜେପି ରାଜନୀତିରେ ‘ଡୁବ୍ତା ସୁରଜ ଧିରେ ଧିରେ…’ ଭଳି ଏବେ ଧର୍ମେନ୍ଦ୍ରଙ୍କ ପତିଆରାର ସ୍ଥିତି । ଆସ୍ତେ ଆସ୍ତେ ଗୋଟିଏ ପରେ ଗୋଟିଏ ଘଟଣାରେ ଧର୍ମେନ୍ଦ୍ରଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱର ଦୁର୍ବଳତା ସାମ୍ନାକୁ ଆସିବା ଆରମ୍ଭ ହୋଇଛି । ତାହାର ସଦ୍ୟତମ ଉଦାହରଣ ହେଉଛି ଗତ ୨୩ ତାରିଖ ରବିବାର ଦିନ ବିଜେପି ବିଧାୟକ ଦଳ ବୈଠକର ନିଷ୍କର୍ସ ।

ନିର୍ବାଚନ ଫଳାଫଳ ଆସିବା ପରଠାରୁ ବିରୋଧି ଦଳ ନେତା ପଦକୁ ନେଇ ଦଳ ଭିତରେ ଚାଲିଛି ଛକାପଂଝା । ୨୦୧୬ ମସିହା ମଝିଭାଗରୁ ବିଜୟ ମହାପାତ୍ରଙ୍କୁ ସାଇଡ୍ କରିବା ପରେ ଧର୍ମେନ୍ଦ୍ର ଯେଭଳି ଭାବେ ଆଖି ଦେଖାଇ ଆଙ୍ଗୁଳି ଦେଖାଇ ଦଳରେ ରାଜ କରୁଥିଲେ । ଦଳର ସମସ୍ତ ସଭାସମିତି ବୈଠକରେ ତାଙ୍କର ଠାଣି ଆଉ ବାଣୀ ଯିଏ ଦେଖିଛି ସିଏ ଜାଣିଛି ଧର୍ମେନ୍ଦ୍ରଙ୍କ ବିନା ଓଡିଶା ବିଜେପିରେ ଆଉ କାହାର ବୋଲ ନାହିଁ କି ଚାଲ ନାହିଁ ।

ତାଙ୍କୁ ବିରୋଧ କରିବା ଅର୍ଥ ସାରା ଜୀବନ ସାରା କ୍ୟାରିୟର ହାତରେ କେବଳ ପଦ୍ମଟେ ଧରି ପଙ୍କରେ ହିଁ କଟିବ । କିନ୍ତୁ ଅପରାଜିତା, ବୈଜୟନ୍ତ, ପ୍ରତାପଙ୍କ ଆବିର୍ଭାବ ପରେ ଓ ବିଶେଷ କରି ନିର୍ବାଚନରେ ବିଧାନସଭା ପାଇଁ ବିଜେପିର ଫୁଟାଣି ତୁଲ୍ୟ ଫଳାଫଳ ନହେବା ପରଠାରୁ ଧର୍ମେନ୍ଦ୍ରଙ୍କର ପ୍ରଭାବ କ୍ଷୟ ହେବା ଆରମ୍ଭ ହୋଇଛି । ୨୩ ତାରିଖ ବୈଠକରେ ଆଶା କରାଯାଉଥିଲା ଜୟ ନାରାୟଣ ମିଶ୍ର , ପ୍ରଦୀପ୍ତ ନାୟକ ଓ ମୋହନ ମାଝୀଙ୍କ ଭିତରୁ ଧର୍ମେନ୍ଦ୍ର ଯାହା ନାଁକୁ ପ୍ରସ୍ତାବ ଦେବେ ସେଇ ହେବ ବିଜେପିର ବିରୋଧି ଦଳ ନେତା । କାରଣ ଧର୍ମେନ୍ଦ୍ର ଓ ଜୟ ନାରାୟଣଙ୍କ ରାଜନୈତିକ ଶତୃତା ସମସ୍ତଙ୍କୁ ଜଣା । କିନ୍ତୁ ସେପରି ହେଲା ନାହିଁ । ନିଜ ସପକ୍ଷରେ ବାକି ସମସ୍ତ ବିଧାୟକଙ୍କୁ ଆଣିବା ଓ ସେମାନଙ୍କ ମୁହଁରେ ନିଜର ପସନ୍ଦର ପ୍ରାର୍ଥୀଙ୍କ ନାଁ ପ୍ରସ୍ତାବ କରାଇ ନେବା ଯୋଜନାରେ ସଫଳ ହୋଇପାରିଲେ ନାହିଁ ଧର୍ମେନ୍ଦ୍ର ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାତ୍ର ୨୩ ଜଣ ବିଧାୟକଙ୍କ ଭିତରେ ନିଜର ନେତୃତ୍ୱକୁ ଜାହିର କରାଇ ପାରିଲେ ନାହିଁ ଧର୍ମେନ୍ଦ୍ର । ପ୍ରଶ୍ନ ହେଉଛି, ଆଗାମୀ ଦିନରେ ୭୪ ବା ତଦୁର୍ଦ୍ଧ ପ୍ରାର୍ଥୀ ଜୟଯୁକ୍ତ ହୋଇ ଆସିଲେ ଧର୍ମେନ୍ଦ୍ରଙ୍କ କଥା କେତେ ରହିବ ?

Related Posts