ପୂଜାରୀଙ୍କ ପାଇଁ ଉପାସ ରହିଲେ ମହାରଥୀ !

ସତ୍ୟପାଠ ବ୍ୟୁରୋ : ବିଧାନସଭାରେ ପିପିଲି ବିଧାୟକଙ୍କ କ୍ଷୋଭ । ଗଲାକାଲି ମନ୍ତ୍ରୀ ନିରଂଜନ ପୂଜାରୀଙ୍କ କଥା ତାଙ୍କୁ ଏତେ ବାଧିଛି ଯେ, ସେ କାଲି ରାତିରେ ଖାଇ ପାରିନଥିବା କହିଛନ୍ତି । ତାଙ୍କ ଦକ୍ଷତା ଓ ନିଷ୍ଠାପରତା ଉପରେ ପ୍ରଶ୍ନ ଉଠାଇ ମନ୍ତ୍ରୀ ପୂଜାରୀ ଯେଉଁ ବ୍ୟବହାର ଦେଖାଇଛନ୍ତି ତାହା ମହାରଥୀଙ୍କ ୪୦ବର୍ଷର ରାଜନୈତିକ କ୍ୟାରିୟରରେ କେବେ ହୋଇ ନଥିଲା ବୋଲି କହିଛନ୍ତି ପ୍ରଦୀପ ମହାରଥୀ ।

ରାଜ୍ୟରେ ମଲଟିପରପୋଜ୍ ଶୀତଳଭଣ୍ଡାର କେତେ ଅଛି ଓ ଏହା କିଭଳି କାର୍ଯ୍ୟ କରୁଛି ବୋଲି ବୁଧବାର ବିଧାନସଭାରେ ପ୍ରଶ୍ନ କରିଥିଲେ ପୂର୍ବତନ କୃଷିମନ୍ତ୍ରୀ । ହେଲେ ଉତ୍ତର ଆଳରେ ମହାରଥୀଙ୍କୁ କଟାକ୍ଷ କରିଥିଲେ ମନ୍ତ୍ରୀ ନିରଂଜନ ପୂଜାରୀ । ଯାହାକୁ ନେଇ ଆଜି ଗୃହରେ ରାଗି ପାଚି ନିଆଁ ହୋଇଥିଲେ ମହାରଥୀ । ମନ୍ତ୍ରୀ ତାଙ୍କ ଉତ୍ତର ଭୁଲ ଦେଇଛନ୍ତି, ତେଣୁ ସେ ନିଜ ବିବୃତି ଫେରାଇ ନେବାକୁ ଦାବୀ କରିଛନ୍ତି ପିପିଲି ବିଧାୟକ ।

ମହାରଥୀଙ୍କ କହିବା କଥା, ତାଙ୍କ ବେଳେ ଶୀତଳଭଣ୍ଡାର ସଂଖ୍ୟା ଥିଲା ୨୪ । କିନ୍ତୁ ତାଙ୍କରି ଉଦ୍ୟମରେ ଏ ସଂଖ୍ୟା ବଢ଼ି ୪୮ ହୋଇଥିଲା । ସେ କୃଷିମନ୍ତ୍ରୀ ଥିବା ବେଳେ ଓଡିଶା ଚାରି ଚାରିଥର କୃଷିକର୍ମଣ ପୁରସ୍କାର ପାଇଛି । ତେଣୁ ତାଙ୍କ କର୍ତ୍ତବ୍ୟନିଷ୍ଠା ଓ କାର୍ଯ୍ୟଦକ୍ଷତାକୁ ପ୍ରଶ୍ନ କରି ମନ୍ତ୍ରୀ ପୂଜାରୀ ତାଙ୍କୁ ଗଭୀର ଆଘାତ ଦେଇଛନ୍ତି ବୋଲି ମହାରଥୀ କହିବା ସହ ଏଥିପାଇଁ ଗତକାଲି ରାତିରେ ସେ ଖାଇ ନାହାଁନ୍ତି ବୋଲି କହିଛନ୍ତି ।

ଖାଲି ଏତିକି ନୁହେଁ ମନ୍ତ୍ରୀପଦ ମୋହ ମାୟା କଥା ବି ଉଠାଇଛନ୍ତି ମହାରଥୀ । ନିରଂଜନଙ୍କୁ ଟାର୍ଗେଟ କରି କହିଛନ୍ତି ମୋ ଦକ୍ଷତା ପାଇଁ ମୁଁ ଅନେକ ଥର ମନ୍ତ୍ରୀ ହୋଇଛି । ଗୋଟିଏ ମନ୍ତ୍ରୀପଦ ଫାଙ୍କା ଅଛି ବୋଲି କଣ ମୁଁ ଚୁପ ରହିଯିବି ନା କଣ? କେହି ଚାହିଁଲେ ବି ମୋ ପାଟି ଚୁପ କରି ପାରିବେନି ବୋଲି କହି ଆକ୍ଷେପର ଉତ୍ତର ଦେଇଛନ୍ତି ମହାରଥୀ ।

Related Posts