ସେ ଖାଇ ନାହାଁନ୍ତି ବିଧାନସଭା ଆସିଲେ କେମିତି ?

ସତ୍ୟପାଠ ବ୍ୟୁରୋ : ମିଛ କହୁଛନ୍ତି ମହାରଥୀ । ଖାଇ ନାହାଁନ୍ତି ଗୃହକୁ ଆସିଲେ କେମିତି ? ଗତକାଲି ରାତିରେ ଖାଇ ନଥିବା ନେଇ ମହାରଥୀ କ୍ଷୋଭରେ କହିବା ପରେ ଏମିତି କହି ନିଆଁରେ ଘିଅ ଢ଼ାଳିଛନ୍ତି ବିଜେଡି ବିଧାୟିତା ପ୍ରମିଳା ମଲ୍ଲିକ । ଆଉ ଏହାକୁ ନେଇ ଉଷ୍ଣ ହୋଇଛି ବାତାବରଣ ।

ନିଜ ଦଳର ବିଧାୟକଙ୍କୁ କଟାକ୍ଷ । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କଟାକ୍ଷ କରିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ । ମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଆକ୍ଷେପରେ ମର୍ମାହତ ମହାରଥୀ ଗତକାଲି ରାତିରେ ଖାଇ ନଥିବା କହିବା ପରେ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରମିଳା । କହିଛନ୍ତି ମହାରଥୀ ଭାଇନା ଜଣେ ଡାଇବେଟିସ୍ ରୋଗୀ । ସେ ଖାଇ ନାହାଁନ୍ତି ଗୃହକୁ ଆସିଲେ କେମିତି ? ତା ଛଡା ସେ ଖାଇଛନ୍ତି କି ନାହିଁ ଆମେ କଣ ତଦନ୍ତ କରିବୁ ? ଖାଲି ଏତିକି ନୁହେଁ ମହାରଥୀଙ୍କୁ ଯାତ୍ରାପାର୍ଟି ଲୋକଙ୍କ ଭଳି ଡାଏଲଗ ମାରନ୍ତି କହି ଛିଗୁଲାଇଛନ୍ତି ପ୍ରମିଳା । କହିଛନ୍ତି ମହାରଥୀଙ୍କ କହିବା ଷ୍ଟାଇଲ ସେମିତି, ତେଣୁ ତାକୁ ଗୁରୁତ୍ୱ ଦିଅନ୍ତୁନି ।

ପ୍ରମିଳାଙ୍କ ଉତ୍ତରରେ ପ୍ରତ୍ୟୁତ୍ତର ଦେଇଛନ୍ତି ପ୍ରଦୀପ ମହାରଥୀ । ପ୍ରମିଳାଙ୍କୁ ଭଡ ଭଉଣୀ ସମ୍ବୋଧନ କରି କେବେଠୁ ରାଜନୀତି ଛାଡି ଡାକ୍ତରାଣୀ ହେଲେଣି ବୋଲି କହି ନାକ ଟେକିଛନ୍ତି ପିପିଲି ବିଧାୟକ ।

ଯାହାବି ହେଉ, ଶାସକ-ବିରୋଧୀ ମୁହାଁମୁହିଁ ବା କଥା କଟାକଟି ପୂର୍ବରୁ ଦେଖିବାକୁ ମିଳୁଥିଲା । ହେଲେ ଏଥର ଶାସକ ଦଳର ମନ୍ତ୍ରୀ ବିଧାୟକ ନିଜ ନିଜ ଭିତରେ ବି ଏମିତି ହୋଇପାରନ୍ତି ବୋଲି ଦେଖାଇଦେଲେ । ତେବେ ବଡ କଥା ହେଉଛି, ଗୃହରେ କିଏ ଠିକ୍ କିଏ ଭୁଲ ତାହାକୁ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ବାଚସ୍ପତି । ଦରକାର ପଡିଲେ ନିରଂଜନଙ୍କ ବିବୃତି ବିବରଣୀରୁ ବାଦ ଦିଆଯିବ ବୋଲି ବାଚସ୍ପତି କହିଛନ୍ତି ।

Related Posts