ବରପଦା ଇଂଜିନିୟରିଂ ସ୍କୁଲ କେଳେଙ୍କାରୀ ମାମଲାରେ ଧରାପଡ଼ିଲା ପ୍ରଫୁଲ୍ଲ ସାମଲଙ୍କ କାରସାଦି

ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ବରପଦା ସ୍କୁଲ ଅଫ୍ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ବି.ଏସ୍.ଇ.ଟି) ସଂସ୍ଥାରେ କୋଟି କୋଟି ଟଙ୍କା କେଳେଙ୍କାରୀ ମାମଲାରେ ପର୍ଦ୍ଦାଫାସ୍‌ ହୋଇଛି ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ବିବାଦୀୟ ସଂପୃକ୍ତି । ଆର୍ଥିକ ଘୋଟାଲାକୁ ପ୍ରୋତ୍ସାହିତ କରିଥିବା ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ନାଁରେ ଗଣମାଧ୍ୟମଠାରୁ ଆରମ୍ଭ କରି ଜନସାଧାରଣରେ ଚର୍ଚ୍ଚା ଚାଲିଥିବାବେଳେ ମାମଲାରେ ଗୁରୁତ୍ବପୂର୍ଣ୍ଣ ଖୁଲାସା କରିଛନ୍ତି କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ।

ବରପଦା କଲେଜ ଆର୍ଥିକ କେଳେଙ୍କାରୀ ମାମଲା ଥାନା ଠାରୁ କଚେରୀ ପର୍ଯ୍ୟନ୍ତ ମଧ୍ୟ ଗଲାଣି । ସଂସ୍ଥାର ସଭାପତି ଥବାବେଳେ ପୁଅ ପ୍ରୟାସକାନ୍ତି ସାମଲ କୋଟି କୋଟି ଟଙ୍କାର ଅନିୟମିତତାରେ ସଂପୃକ୍ତିର ଅଭିଯୋଗ ହୋଇ ଆସୁଥିବା ବେଳେ ପିତା ପ୍ରଫୁଲ ସାମଲ ନିଜର ସାଧୁତା ନେଇ ସର୍ବସାଧାରଣରେ ମିଥ୍ୟା ବାହାସ୍ଫଟ ମାରୁଛନ୍ତି । କିନ୍ତୁ ତଥ୍ୟ ପ୍ରମାଣ ସହ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ସଂପୃକ୍ତିର ଖୁଲାସା କରିଛନ୍ତି ସତ୍ୟପ୍ରକାଶ ।

ପ୍ରକୃତରେ ବରପଦା ସ୍କୁଲ ଅଫ୍ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ବି.ଏସ୍.ଇ.ଟି)ରେ ଦୁର୍ନୀତିର ସୂତ୍ରପାତ ହୋଇଥିଲା ପ୍ରଫୁଲ୍ଲ ସାମଲଙ୍କ ସଭାପତିତ୍ୱ କାଳରେ । ମନ୍ତ୍ରୀ ନିଜ ପରିବାର ଓ ପୁଅକୁ ଅନୁକମ୍ପା ଦେଖାଇବାକୁ ଯାଇ ୦୫.୦୧.୨୦୦୭ରେ ଅତ୍ୟନ୍ତ ଗୋପନୀୟ ଓ ଚତୁରତାର ସହ ୧୯୯୨ ମସିହାରେ ତିଆରି କରାଯାଇଥିବା ସଂସ୍ଥାର ମୂଳ ମେମୋରେଣ୍ଡମ ତଥା ବାଇ-ଲ’କୁ ବଦଳାଇ ଦେଇଥିଲେ । କିନ୍ତୁ ନିୟମ ଅନୁଯାୟୀ ପ୍ରଫୁଲ୍ଲ ସାମଲ ଯେହେତୁ ଭଦ୍ରକର ବିଧାୟକ ନ ଥିଲେ ସେ ଦୃଷ୍ଟିରୁ ସେ ପରିଚାଳନା କମିଟିର ଏକ୍ସ-ଅଫିସିଓ ସଭ୍ୟ ଓ ସଭାପତି ରହିପାରିବା କଥା ନୁହେଁ ।

ତଥାପି ପ୍ରଫୁଲ୍ଲ ବାବୁ ବାଇ-ଲ’କୁ ବଦଳାଇ ଦେଲେ । ଏଭଳି ପରିବର୍ତନ କରାଯିବା ବେଆଇନ୍ ଓ ଅସାଧୁ ଉଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଥିଲେ ସଂସ୍ଥାର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ସାଂସଦ ଅର୍ଜୁନ ଚରଣ ସେଠୀ । ୨୦୦୮ ମସିହାରେ ସାଂସଦ ଶ୍ରୀ ଅର୍ଜୁନ ଚରଣ ସେଠୀ ଏ ନେଇ ଏକ ପ୍ରତିବାଦ ପତ୍ର ଲେଖି ଜଣାଇଥିଲେ ଯେ ଏହା ତାଙ୍କ ବିନା ଜ୍ଞାତସାରରେ କରାଯାଇଛି ।

ପୁଣି ଥରେ ୨୦୧୭ ମସିହାରେ ବରପଦା କଲେଜର ପ୍ରିନ୍ସପାଲ୍‌ ସ୍ଥାନୀୟ ଥାନାରେ ଏକ ଏଫ୍‌ଆଇଆର୍‌ ରୁଜୁ କରିଥିଲେ ଏବଂ ସେଥିରେ ସେ ଦର୍ଶାଇଥିଲେ ଯେ କଲେଜ ନାମରେ ଥିବା ଗାଡ଼ିକୁ ବେଆଇନ୍ ଭାବରେ କିଣା ଯାଇଛି ଏବଂ ତାକୁ ପୁନର୍ବାର ବିକ୍ରି କରି ଯାହା ପଇସା ଆସିଲା ତାକୁ ନିଜେ ହଡ଼ପ କରାଯାଇଛି ।

ଏ ସମସ୍ତ କାରସାଦି ମାଧ୍ୟମରେ ନିଜକୁ ସଚ୍ଚୋଟ ବୋଲି କହୁଥିବା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କୋଟି କୋଟି ଟଙ୍କା ଲୁଟ କରିଛନ୍ତି, ଯିଏକି ମୁଖ୍ୟମନ୍ତ୍ରୀଙ୍କର ଘନିଷ୍ଠ କ୍ୟାବିନେଟ୍ ସହଯୋଗୀ । ବରପଦା କଲେଜର ବାଇ-ଲ’ରେ ବିଶେଷ ଭାବେ ଉଲ୍ଲେଖ ଅଛି ଯେ ସରକାର ଏ ସମସ୍ତ ଆର୍ଥିକ ଅନିୟମିତତାକୁ ତଦନ୍ତ ଓ ତଦାରଖ କରିପାରିବେ, କିନ୍ତୁ ଏବେ ସୁଦ୍ଧା ରାଜ୍ୟ ସରକାର କାହିଁକି ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସତ୍ୟପ୍ରକାଶ ।

ଏ ଦୁର୍ନୀତିର ଯାଂଚ କରିବା ପାଇଁ ଏକ ସ୍ପେଶାଲ ଇନବେଷ୍ଟିଗେସନ୍‌ ଟିମ୍ (ଏସ୍.ଆଇ.ଟି) ଗଠନ କରିବାକୁ ଦାବି କରିଛି କଂଗ୍ରେସ । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥି ଓ ରଜନୀ କୁମାର ମହାନ୍ତି ଉପସ୍ଥିତ ଥିଲେ ।

Related Posts