୪ ବର୍ଷରେ ୧୨ ନାବାଳିକା ଗର୍ଭବତୀ, ଓଡ଼ିଶାରେ ପାଠପଢ଼ା ନାଁରେ ଯୌନ ନିର୍ଯାତନା !

ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, ସେବାଶ୍ରମ ଓ ଛାତ୍ରୀନିବାସରେ ଛାତ୍ରୀ ଅସୁରକ୍ଷିତ, ମନ୍ତ୍ରୀ କହିଲେ ସବୁ ଠିକ୍ ଠାକ୍ ଚାଲିଛି

ରାଜ୍ୟରେ ସରକାରଙ୍କ ଦ୍ବାରା ପରିଚାଳିତ ସେବାଶ୍ରମ ସ୍କୁଲ ଗୁଡ଼ିକରେ କେମିତି ଛାତ୍ରୀମାନଙ୍କୁ ନିର୍ଯାତନା ଦିଆଯାଉଛି ସେ ନେଇ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ପାଠପଢ଼ା ନାଁରେ ବହୁ ସେବାଶ୍ରମ ସ୍କୁଲରେ ଛାତ୍ରୀମାନଙ୍କୁ ପାଶବିକତାର ଶିକାର କରାଯାଉଛି । ଗତ 4 ବର୍ଷ ଭିତରେ 12 ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତି ।

ରାଜ୍ୟର ଆଶ୍ରୟ ଗୃହ ଗୁଡ଼ିକରେ ଅବ୍ୟବସ୍ଥା ସମ୍ପର୍କରେ ମାତ୍ର ଦିନକ ତଳେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ ରିପୋର୍ଟ ପରେ ଏବେ ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଚିନ୍ତାଜନକ । ଉଦ୍‌ବେଗର ବିଷୟ ହେଲା ଏ ନେଇ ସଂପୃକ୍ତ ବିଭାଗ କିନ୍ତୁ ସେତେ ଚିନ୍ତିତ ଥିବା ଭଳି ଲାଗୁ ନାହିଁ ।

ବିଧାନସଭାରେ ବିଧାୟକ ତାରା ପ୍ରସାଦ ବାହିନିପତି ଓ ଚନ୍ଦ୍ରଶେଖର ମାଝୀଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ରମେଶ ମାଝୀ । ୨୦୧୪ ପରଠାରୁ ଏସ୍‌ସିଏସ୍‌ଟି ବିଭାଗ ଦ୍ବାରା ପରିଚାଳିତ ଛାତ୍ରୀ ନିବାସରେ ୧୨ ଜଣ ଗର୍ଭଧାରଣ କରିଥିବା ବେଳେ ୪ଜଣ ସନ୍ତାନ ଜନ୍ମ କରିଛନ୍ତି । ସେବାଶ୍ରମ ସ୍କୁଲ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ନିରାପତ୍ତା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା । ଛାତ୍ରୀ ନିବାସ ଗୁଡ଼ିର ସୁପରିଚାଳନା ନିମନ୍ତେ ମହିଳା ପରିଚାଳିକା ନିୟୋଜିତ ହୋଇଛନ୍ତି । ଏହା ସତ୍ବେ ଛାତ୍ରୀ ନିବାସରେ ୧୨ ଜଣ ଗର୍ଭଧାରଣା କରିବା ବ୍ୟବସ୍ଥାରେ ଥିବା ଅବହେଳାକୁ ପଦାରେ ପକାଉଛି ।

ଗତମାସ କନ୍ଧମାଳ ଜିଲ୍ଲାରେ ଏକ ସେବାଶ୍ରମରେ ଛାତ୍ରୀ ଗର୍ଭବତୀ ହେବା ଖବରକୁ ନେଇ ତୁମ୍ବି ତୋଫାନ ହୋଇଥିଲା । ସେହିପରି ୨୦୧୭- ୧୮ ରେ ୪୪୫ ଜଣ ଅନୁସୂଚିତ ଜାତି ଜନଜାତିର ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ । ୨୦୧୦ରୁ ୨୦୧୮ ମଧ୍ୟରେ ବିଭିନ୍ନ ସେବାଶ୍ରମ ସ୍କୁଲ ଗୁଡିକରେ ୩୫ଟି ନାବାଳିକା ନିର୍ଯାତନା ଘଟଣା ସାମ୍ନାକୁ ଆସିଛି । ତେବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛି ସଂପୃକ୍ତି ବିଭାଗ ।

ରାଜ୍ୟରେ ଚାଲିଥିବା ଆଶ୍ରୟ ଗୃହଗୁଡ଼ିକର ଅବ୍ୟବସ୍ଥା ସମ୍ପର୍କରେ ମଙ୍ଗଳବାର ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ । କେତେକ ଆଶ୍ରୟ ଗୃହରେ ଧର୍ମାନ୍ତରୀକରଣ ହେଉଥିବା ବେଳେ ଅନେକ ଆଶ୍ରୟ ଗୃହରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିବା ଦର୍ଶାଇଥିଲେ । ଅନେକ ଆଶ୍ରୟଗୃହରେ ଛାତ୍ରୀ ରହୁଥିବା ବେଳେ ମହିଳା କର୍ମଚାରୀ ନାହାନ୍ତି । ଅପରାଧ ପୃଷ୍ଠଭୂମିର ବ୍ୟକ୍ତିବିଶେଷ ଆଶ୍ରୟଗୃହ ସହିତ ଜଡ଼ିତ ଥିବା ରିପୋର୍ଟରେ ଦର୍ଶାଯାଇଛି । ଏବେ ବିଧାନସଭାରେ ଖୋଦ୍‌ ସରକାର ରଖିଥିବା ତଥ୍ୟ ଏକଥାକୁ ଅଧିକ ଦୃଢ଼ୀଭୂତ କରିଛି ।

Related Posts